ଯୁବରାଜଙ୍କ ବଡ଼ ଭବିଷ୍ୟତବାଣୀ, ଏହି ଟିମ୍ ଖେଳିବେ ବିଶ୍ଵକପ୍ ୨୦୨୩ ସେମି ଫାଇନାଲ୍
ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଦଳଗୁଡ଼ିକ ମଧ୍ୟରେ ଓ୍ଵାର୍ମଅପ୍ ମ୍ୟାଚ୍ ଜାରି ରହିଛି। ଅନେକ ପୂର୍ବତନ ମହାନ କ୍ରିକେଟର ବିଶ୍ଵକପରେ କେଉଁ ୪ ଦଳ ସେମିରେ ପ୍ରବେଶ କରିବେ ତାକୁ ନେଇ ଅନେକ ପୂର୍ବାନୁମାନ କରି ସାରିଲେଣି। ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ନାମ ଯୋଡ଼ି ଯାଇଛି। ଯୁବରାଜ ସେହି ଟିମର ନାଁ କହିଛନ୍ତି, ଯିଏ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲ୍ ଖେଳି ପାରନ୍ତି। ହେଲେ ଯୁବରାଜ ୪ ବଦଳରେ ୫ଟି ଦଳର ନାଁ କହିଛନ୍ତି। ତାଙ୍କ କହିବା କଥା ଦକ୍ଷିଣ ଆଫ୍ରିକା ଦଳ ଏଥର ଟୁର୍ଣ୍ଣାମେଣ୍ଟରେ ଡାର୍କହସ୍ ରହିପାରେ।
ଯୁବରାଜଙ୍କ ହିସାବରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମି ଫାଇନାଲରେ ପ୍ରବେଶ କରିବାର ସବୁଠୁ ବଡ଼ ଦାବିଦାର। ମାତ୍ର ଦକ୍ଷିଣ ଆଫ୍ରିକାକୁ ଅଣଦେଖା କରାଯାଇ ପାରିବ ନାହିଁ। ଦକ୍ଷିଣ ଆଫ୍ରିକା ନିକଟରେ ଅଷ୍ଟ୍ରେଲିଆକୁ ଘରୋଇ ଦିନିକିଆ ସିରିଜରେ ୩-୨ରେ ହରାଇଛି। ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଦଳ ଯେମିତି ପ୍ରତ୍ୟାବର୍ତ୍ତନ କଲା ତାହା ବେଶ ପ୍ରଭାବଶାଳୀ ରହିଥିଲା।
ଯୁବରାଜ କହିଛନ୍ତି, ମୋ ମତରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲ୍ ଖେଳି ପାରନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ସଭିଙ୍କୁ ଚକିତ କରିପାରେ। ଏହି ଦଳକୁ ଧଳା ବଲରେ ଟ୍ରଫିର ଆବଶ୍ୟକତା ରହିଛି। ତେଣୁ ଏଥର ବିଶ୍ଵକପ୍ ବହୁତ ରୋଚକ ହେବ ବୋଲି ଯୁବରାଜ କହିଛନ୍ତି। ଯୁବରାଜ ଭାରତକୁ ୨୦୧୧ ବିଶ୍ଵକପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।