୫୩ ନଂ ରାଜ୍ୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ ଉପରେ ଚଢିଗଲା ଟ୍ରକ, ଦୁଇ ଯୁବକ ମୃତ

ଆନନ୍ଦପୁର: ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ଟ୍ରକ୍ ଚଢିଯିବାରୁ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ବେଳେ ଦୁଇ ଜଣ ବାଇକ ଆରୋହୀ ଦ୍ରୁତଗତିରେ ଆନନ୍ଦପୁର ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଟ୍ରକ ସାମନାକୁ ଆସିଯାଇଥିଲେ। ଫଳରେ ଟ୍ରକଟି ବାଇକ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଉଭୟଙ୍କ ପରିଚୟ ମିଳି ପାରି ନାହିଁ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ନନ୍ଦିପଦା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛି।