ଲଖନପୁର ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା


ଝାରସୁଗୁଡା ୧୩/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଆଞ୍ଚଳିକ ହାଇସ୍କୁଲ ଖେଳ ପଡ଼ିଆରେ ବ୍ଲକ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଜାମଗାଁ ଆଞ୍ଚଳିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ଯୋଗଦାନ କରିଥିଲେ । ସେହିପରି ଜାମଗାଁ ଆଞ୍ଚଳିକ ହାଇସ୍କୁଲର ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ବିଶ୍ୱାଳ , ସମାଜସେବୀ ମହେନ୍ଦ୍ର କୁମାର ସାଏ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜାମଗାଁ ସରପଞ୍ଚ ଗୋପୀନାଥ ସାଏ କ୍ରୀଡ଼ା ପତାକା ଉତ୍ତୋଳନ କରି ପ୍ରତିଯୋଗିତାକୁ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ । ଲଖନପୁର ବ୍ଲକ ସଂପାଦକ ନିତ୍ୟାନନ୍ଦ ନାୟକ କ୍ରୀଡ଼ା ବିବରଣୀ ପଠନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୮୫ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୩୦ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ,ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କ ମଧ୍ୟରେ ନିର୍ମଳ ବିଶ୍ୱାଳ, ସୁକାନ୍ତ ବାଗ, ଦେବେନ୍ଦ୍ର ବେହେରା, ତାର୍ଜନ ବିଶ୍ୱାଳ, ମିତ୍ରଭାନୁ ସହି,ପ୍ରଭାରାଣୀ ଚାନ୍ଦ,ଭୁବନେଶ୍ଵରୀ ମାଝୀ, ପ୍ରଦୀପ ପଧାନ, ଜନାନନ୍ଦ ରଣା,ବିହାରୀ ପଟେଲ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ୧୭ ଓ ୧୮ ତାରିଖରେ ଭିକମପାଲି ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ବ୍ଲକ ସମ୍ପାଦକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସ୍ଥାନୀୟ କ୍ରୀଡ଼ାପ୍ରେମୀ ମାନଙ୍କ ମଧ୍ୟରେ ମନୋଜ କାଲୋ,ବିକାଶ, ସନ୍ଦୀପ ପ୍ରମୁଖଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଏଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଅଶୋକ ପାଢ଼ୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।