ନାବିକଙ୍କଠୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ଵର: ଜାହାଜର ନାବିକମାନଙ୍କର ହେଲଥ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ସିପିଂ ଏଜେନ୍ସି ଠାରୁ ଲାଞ୍ଚ ନେବା ଅଭିଯୋଗରେ ପାରାଦୀପରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି। ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଫିସର ପଦବୀରେ ସେ କାର୍ୟ୍ୟରତ ଅଛନ୍ତି। ଗତକାଲିଠୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ମାରାଥନ ରେଡ୍ ପରେ ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶୁକ୍ରବାର ଗିରଫ କରିଛି।
ସିବିଆଇ ତାଙ୍କୁ ଧରି ଭୁବନେଶ୍ଵର ଆଣିଛି। ଏହା ପରେ ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଛି। ପାରାଦୀପରେ ରେଡ୍ ବେଳେ ପ୍ରାୟ କୋଟିଏ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ବିପୁଳ ଡଲାର ଏସହ ମଦ ଓ ଦାମୀ ସିଗାରେଟ୍ ମଧ୍ୟ ମିଳିଥିବା ଜଣା ପଡିଛି। ଏହା ସହିତ ବାଲେଶ୍ଵର ପୈତୃକ ଘର ଓ କଟକରେ ବି ସିବିଆଇ ଚଢାଉ କରିଛି।
ସୂଚନା ଅନୁଯାୟୀ, ଜାହାଜର ନାବିକମାନଙ୍କର ହେଲଥ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ସିପିଂ ଏଜେନ୍ସି ଠାରୁ ଜଣ ପିଛା ୧୫୦୦ ଟଙ୍କା ଦାବି କରିଥିଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ସାର୍ଟିଫିକେଟ୍ ବାବଦରେ ଲାଞ୍ଚ ନିଆଯାଉଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁଇଁଆ ଛକ ନିକଟ ପବ୍ଲିକ ହେଲଥ ଅଫିସରେ ଡାକ୍ତର ଆରଏନ ପାଣିଗ୍ରାହୀଙ୍କୁ ମାଡି ବସିଥିଲା ସିବିଆଇ। ସିବିଆଇର ୧୦ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ।