କୋର୍ଟରେ ହାଜର ହେଲେ ଜୟନାରାୟଣ ମିଶ୍ର


ଭୁବନେଶ୍ବର; ଥାନା ଅଧିକାରୀଙ୍କୁ ଆକ୍ରମଣ କରିବା ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ତାଙ୍କ ସହିତ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସହ ଅନ୍ୟ ୭ ସହଯୋଗୀ ମଧ୍ୟ ହାଜର ହୋଇଛନ୍ତି। ଜାମିନ ଆବେଦନ ଶୁଣାଣି ପାଇଁ ଭୁବନେଶ୍ବର ଏଡିଜେ-୩ କୋର୍ଟରେ ହାଜର ହୋଇଛନ୍ତି ଶ୍ରୀ ମିଶ୍ର।

ଆଜି ଜାମିନ ଆବେଦନ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା। ୨୦୧୦ରେ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ତତ୍‌କାଳୀନ ବିଧାୟିକା ରାଧାରାଣୀ ପଣ୍ଡା ଓ ବିଜେପି ନେତା ପ୍ରଦୀପ ପୁରୋହିତ ବରଗଡ ଜିଲ୍ଲାର ଝାରବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ଜୟନାରାୟଣ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଏହା ଭିତରେ ମାମଲାକୁ ୧୩ ବର୍ଷ ବିତିଗଲାଣି।