Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଘଟ ଆରମ୍ଭ, ସାରା ରାଜ୍ୟରେ ବସ୍ ସେବା ଠପ୍, ଲୋକେ ହନ୍ତସନ୍ତ

ଭୁବନେଶ୍ଵର: ଆଜିଠୁ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। ସରକାରଙ୍କଠୁ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆନ୍ଦୋଳନରେ ସଂଘ ଅଟଳ ରହିଛି। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ସଂଘ ଦ୍ଵାରା ଏହି ଡାକରା ଦିଆଯାଇଛି। ଆନ୍ଦୋଳନ କାରଣରୁ ରାଜ୍ୟରେ ଘରୋଇ ବସ୍ ଗଡ଼ୁନି। ତେବେ ଏହି ଆନ୍ଦୋଳନରେ ବାଲେଶ୍ଵର ଓ ଗଞ୍ଜାମର ଗୋଟିଏ ସଂଘ ସାମିଲ୍ ହୋଇ ନାହାନ୍ତି।

ଭୁବନେଶ୍ଵର ହେଉ କି କଟକ ଅବା ବଲାଙ୍ଗୀର ରାଜ୍ୟର ସମସ୍ତ ଅଞ୍ଚଳରେ ବସ୍ ଗଡ଼ିନି। ଅକ୍ଟୋବର ୨୦ରୁ ରାଜ୍ୟବ୍ୟାପୀ ବସ୍ ଧମର୍ଘଟ କରିବା ନିଜ ଜିଦରେ ଅଟଳ ରହିଛନ୍ତି ଘରୋଇ ବସ୍ ମାଲିକ ସଂଘ। ବସ୍ ଚଳାଚଳ ବନ୍ଦ ହେଉଥିବାରୁ ଗତକାଲି ଭୁବନେଶ୍ଵର ବରମୁଣ୍ଡା, କଟକ ନେତାଜୀ ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କଟକରେ ବସଷ୍ଟାଣ୍ଡ ସହ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ଭିଡ଼ ଲାଗି ରହିଛି।

ସମଗ୍ର ରାଜ୍ୟରେ ବସ୍ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେବେ ରାୟଗଡ଼ାରେ ବସଯାତ୍ରୀଙ୍କୁ ଡବଲ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ଘରୋଇ ବସ୍ ବନ୍ଦ ସାଙ୍ଗକୁ ସରକାରୀ ବସ୍ ଚଳାଚଳ ମଧ୍ୟ ଧୋକ୍କା ଦେଇଛି। ରାୟଗଡ଼ାର ସବୁ ସରକାରୀ ବସ୍ ପାରଳାଖେମୁଣ୍ଡିରେ ନିୟୋଜିତ ହୋଇଛନ୍ତି। ୧୨ଟି ବସରୁ ୩ଟି ଖରାପ ଥିବା ବେଳେ ୯ଟି ସରକାରୀ କାମରେ ନିୟୋଜିତ ହୋଇଛନ୍ତି। ପାରଳାଖେମୁଣ୍ଡିରେ ଲକ୍ଷ୍ମୀ ବସ୍ ଉଦଘାଟନ କାମରେ ବସ୍ ନିୟୋଜିତ ହୋଇଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଓ ସହର ବାହାରେ ମୋ ବସ୍ ଚଳାଚଳକୁ ବିରୋଧ କରି ଓଡ଼ିଶାର ଘରୋଇ ବସ୍ ମାଲିକ ସଂଘ ଅକ୍ଟୋବର ୨୦ ତାରିଖରୁ ପୁଣି ଥରେ ରାଜ୍ୟରେ ବସ୍ ଧର୍ମଘଟ ଡାକରା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ଦାବି ପୂରଣ ନ ହେବାରୁ ଶୁକ୍ରବାରଠୁ ସାରା ରାଜ୍ୟରେ ବସ୍ ଧର୍ମଘଟ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଗତକାଲି ଏହି ସୂଚନା ଦେଇଥିଲେ ସଂପାଦକ ଦେବେନ୍ଦ୍ର ସାହୁ।
ବସ୍ ଚଳାଚଳ ବନ୍ଦ ହେଲେ ପାର୍ବଣ ସମୟରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯାତ୍ରା କରି ଦୁର୍ଗାପୂଜାର ଆନନ୍ଦ ଉଠାଇବାରେ ସମସ୍ୟା ଉପୁଜିପାରେ। ତେବେ ପୂଜା ଛୁଟିରେ ଧର୍ମଘଟ ପାଇଁ ପରିସ୍ଥିତି ବାଧ୍ୟ କରିଛି। ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ। ତେଣୁ ଲୋକଙ୍କୁ ଆଗୁଆ କ୍ଷମା ମାଗୁଛୁ ବୋଲି କହିଛନ୍ତି ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ ହୋଇ ସାରିଛି। ଏହି ଯୋଜନାରେ ପଞ୍ଚାୟତ ସହ ବ୍ଳକ ଓ ବ୍ଳକ ସହ ଜିଲ୍ଲା ଯୋଡ଼ିବାକୁ ରାଜ୍ୟ ସରକାରଙ୍କ ଯୋଜନା ରଖିଛନ୍ତି। ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଗରିବ ଲୋକ ଯାତାୟାତ କରି ପାରିବେ ବୋଲି ସରକାର କହିଛନ୍ତି।

ବସ୍ ମାଲିକ ସଂଘର ଅଭିଯୋଗ ଅନୁସାରେ- ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍‌କୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍‌ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍ ଆଣିବା ପାଇଁ ସେମାନେ ଦାବି କରିଛନ୍ତି। ଏଥିସହ ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବାକୁ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ