Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂଘରେ କୌଣସି ଫାଟ ନାହିଁ, ଯେଉଁଠି କାଁ ଭାଁ ଚାଲିଛି ତାହା ବନ୍ଦ ହୋଇଯିବ: ସଂଘ ସଂପାଦକ

ଭୁବନେଶ୍ଵର: ଆଜିଠୁ ସମଗ୍ର ରାଜ୍ୟରେ ବସ୍ ଧର୍ମଘଟ ଆରମ୍ଭ ହୋଇ ଯାଇଛି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏବଂ ପ୍ରତିଶ୍ରୁତି ପୂରଣ ନ ହେବାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ। ତେବେ କିଛି ଜିଲ୍ଲାର ସଂଘ ଏହି ଧର୍ମଘଟରେ ସାମିଲ୍ ହୋଇ ନାହାନ୍ତି। ଏହାକୁ ନେଇ ସଂଘ ଭିତରେ ଫାଟ ସୃଷ୍ଟି ହୋଇଥିବା ପ୍ରଶ୍ନ ଉଠିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି ସଂଘ ଭିତରେ କୌଣସି ଫାଟ ନାହିଁ।

ଦେବେନ୍ଦ୍ର ସଂଘରେ ଫାଟ ଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ୧୪ ହଜାରରୁ ଅଧିକ ଘରୋଇ ବସ୍ ରହିଛି। କିଛି ଜାଗାରେ କାଁ ଭାଁ ଘରୋଇ ବସ୍ ଚାଲିଛି, ତାକୁ କଣ ସଂଘରେ ଫାଟ ସୃଷ୍ଟି ହୋଇଥିବା କୁହାଯିବ। ଯେଉଁମାନେ ଚାପର ବଶବର୍ତ୍ତୀ ହୋଇ ଚଲାଉଛନ୍ତି ତାହା ପୁଣି ବନ୍ଦ ହୋଇଯିବ। ପେଟପାଟଣା କଥା ସେମାନଙ୍କ ସହ କଥାବାର୍ତ୍ତା ଚାଲିଛି। ଯାତ୍ରୀ ହସ୍ତସନ୍ତ ନେଇ ପୁଣି ଥରେ ମାଲିକ ସଂଘ କ୍ଷମା ମାଗିଛନ୍ତି। ସରକାର ଯେତେ ଶୀଘ୍ର ଆମ କଥା ଶୁଣିବେ ଆମେ ଆନ୍ଦୋଳନରୁ ହଟିଯିବୁ। ଆଲୋଚନାରେ ସବୁ ସମ୍ଭବ ବୋଲି ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ସରକାର ୫୦ ପ୍ରତିଶତ ଆଗେଇଲେ, ଆମେ ୫୦ ପ୍ରତିଶତ ଆଗେଇବୁ।

ଆଜିଠୁ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। ସରକାରଙ୍କଠୁ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆନ୍ଦୋଳନରେ ସଂଘ ଅଟଳ ରହିଛି। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ସଂଘ ଦ୍ଵାରା ଏହି ଡାକରା ଦିଆଯାଇଛି। ଆନ୍ଦୋଳନ କାରଣରୁ ରାଜ୍ୟରେ ଘରୋଇ ବସ୍ ଗଡ଼ୁନି। ତେବେ ଏହି ଆନ୍ଦୋଳନରେ ବାଲେଶ୍ଵର ଓ ଗଞ୍ଜାମର ଗୋଟିଏ ସଂଘ ସାମିଲ୍ ହୋଇ ନାହାନ୍ତି। ଆଜି ଠାରୁ ସ୍କୁଲ, କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି। ଏମିତି ସମୟରେ ହଠାତ୍ ବସ୍ ସେବା ବନ୍ଦ ହେବାକୁ ଥିବାରୁ ଆଜିଠାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି।