ଜଙ୍ଗଲୀ ବାରହା ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ


ଝାରସୁଗୁଡା ୨୨/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଜଙ୍ଗଲୀ ବାରହା ଉପଦ୍ରବ ଯୋଗୁଁ ଅମଳକ୍ଷମ ଧାନ ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହେଉଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି । ଜଙ୍ଗଲରୁ ବାରହା ପଲ ଆସି ଅମଳକ୍ଷମ ଧାନ ଫସଲ ନଷ୍ଟ କରିବା ସହ ଦଳିମକଚି ଦେଉଛନ୍ତି ଯାହାକୁ ନେଇ ଚାଷୀ ମହଲରେ ଚିନ୍ତା କାରଣ ପାଲଟିଛି । ଏପରି ଅଭିଯୋଗ ହେଉଛି ଲଖନପୁର ବ୍ଲକ କନକତୋରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଗ୍ରାମରେ । ଝାରଗାଁ ଗ୍ରାମର ଅଧିକାଂଶ ଲୋକ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଆସୁଛନ୍ତି । ସେମାନେ ଧାନ ଚାଷ କରିବା ସହ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ କରିଥାନ୍ତି । କିନ୍ତୁ ଚାଷଜମିକୁ ଲାଗି ଜଙ୍ଗଲ ରହିଥିବା ଯୋଗୁଁ ଜଙ୍ଗଲୀ ବାରହା ମାନେ ଆସି ବ୍ୟାପକ ମାତ୍ରାରେ ଅମଳକ୍ଷମ ଧାନ,ପନିପରିବା ଚାଷ ଆଦି କ୍ଷୟକ୍ଷତି କରିବା ସହ ଦଳିମକଚି ନଷ୍ଟ କରି ଦେଉଛନ୍ତି । ଫଳରେ ପ୍ରାୟ ପ୍ରତିବର୍ଷ ଚାଷୀ ମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଯଦି ଏପରି ସମସ୍ୟା ଲାଗି ରହେ ତାହେଲେ ତାଙ୍କପକ୍ଷେ ପରିବାର ଚଳାଇବା କାଠିକର ପାଠ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ବନ ବିଭାଗ କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି ।