ଆମେ ପଞ୍ଜାବରେ ମରୁଭୂମି ଚାହୁଁନି, ଧାନ ଫସଲ ଧିରେ ଧିରେ ବନ୍ଦ କର; ସୁପ୍ରିମକୋର୍ଟଙ୍କ ଉପଦେଶ
        ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଶୁକ୍ରବାର ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରଦୂଷଣ ପାଇଁ ନଡ଼ା ଜଳାକୁ ମଧ୍ୟ ଦାୟୀ କରିଛନ୍ତି। ପଞ୍ଜାବ ଓ ହରିୟାଣାରେ ଏହାକୁ ବହୁଳ ମାତ୍ରାରେ ଜଳା ଯାଉଛି। ପଞ୍ଜାବରେ ନଡ଼ା ଜଳାଇବା ମାମଲା ଅଧିକ ରହିଛି। ଖଣ୍ଡପୀଠ କେବଳ ନଡ଼ା ଜଳା ନୁହେଁ ପଞ୍ଜାବରେ ଖସୁଥିବା ଜଳସ୍ତରକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଏହି ସଙ୍କଟର ମୁକାବିଲା ପାଇଁ ଧିରେ ଧିରେ ଧାନ ଫସଲ ବନ୍ଦ କରାଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପଞ୍ଜାବରେ ଜଳସ୍ତର ଖସିବାରେ ଲାଗିଛି। ଆମେ ଚାହୁଁ ନାହିଁ ଯେ, ପଞ୍ଜାବ ମରୁଭୂମିରେ ପରିଣତ ହେଉ। ତେଣୁ ଜରୁରୀ ଧାନ ଫସଲ ଧିରେ ଧିରେ ବନ୍ଦ କରାଯାଉ। ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଆମ ଦଖଲ ପରେ ହିଁ କାମ ହେଉଛି। ପ୍ରତ୍ୟେକ ବର୍ଷ ଆମେ ଦଖଲ ଦେଲେ ଯାଇ ପ୍ରଦୂଷଣ ମାତ୍ରା କମ ଉପରେ ସରକାର ଜାଗି ଉଠୁଛନ୍ତି। କୋର୍ଟ କହିଛନ୍ତି, ପ୍ରଦୂଷଣ ମାମଲାରେ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଉଛି, ହେଲେ ଆମକୁ ଏକ୍ସପର୍ଟ ନୁହେଁ ବରଂ ପରିଣାମ ଦରକାର।
ଉଚ୍ଚତମ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନଭେମ୍ବର ୧୩ରୁ ନଭେମ୍ବର ୨୦ ଯାଏ ଅଡ ଇଭେନ ନମ୍ବର ନୀତି ଉପରେ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି। ପ୍ରଦୂଷଣ କେମିତି କମ କରିବେ ତାହା ଆପଣଙ୍କ ଉପରେ ନିର୍ଭର କରେ। ତେଣୁ ଆଉ ଏକ୍ସପର୍ଟ ନୁହେଁ ପରିଣାମ ଦରକାର ବୋଲି କୋର୍ଟ କହିଛନ୍ତି।

                        