Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ଘନଶ୍ୟାମ ପାଣିଗ୍ରାହୀଙ୍କ ଜୟନ୍ତୀ

ସମ୍ବଲପୁର: ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସ୍ବାଧୀନତା ଆନ୍ଦୋଳନରେ ଅଞ୍ଚଳର ବହୁ ମୁକ୍ତି ସଂଗ୍ରାମୀ ଝାସ ଦେଇଥିଲେ । ତେବେ ସେମାନଙ୍କୁ ଯେଭଳି ସମ୍ମାନ ମିଳିବା କଥା, ତାହା ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ପଶ୍ଚିମ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଅବହେଳା କରାଯାଇଛି ବୋଲି ସ୍ବାଧୀନତା ସଂଗ୍ରାମୀ ଘନଶ୍ୟାମ ପାଣିଗ୍ରାହୀ ସ୍ମୃତି ସମିତି ପକ୍ଷରୁ ଆୟୋଜିତ ଜୟନ୍ତୀ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ସାମ୍ବାଦିକ ଭବନରେ ଗତ ରବିବାର ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଦିନ ପୂର୍ବାହ୍ନରେ ଏହି ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ଘନଶ୍ୟାମ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ କରିଥିଲେ । ସେ ସରକାରୀ ଚାକିରୀରୁ ଇସ୍ତାଫା ଦେଇ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ । ଭୂଦାନ ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ପରେ ଆର୍ୟୁବେଦ ଚିକିତ୍ସା ମାଧ୍ୟମରେ ନିଜକୁ ଜନସେବାରେ ସମର୍ପି ଦେଇଥିଲେ । ବର୍ତ୍ତମାନ ଯୁବପୀଢ଼ି ସ୍ବାଧୀନତା ସଂଗ୍ରାମୀଙ୍କୁ ଭୁଲିବା ଆରମ୍ଭ କଲେଣି । ସେମାନଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦାନ କରି ସମ୍ବଲପୁର ଠାରେ ଓଡ଼ିଶା ରାଜ୍ୟ ସ୍ତରୀୟ ସ୍ବାଧୀନତା ସଂଗ୍ରାମୀ ଓ ଦାୟାଦ ମାନଙ୍କ ବିଶାଳ ସମ୍ମିଳନୀ ର ସ୍ମୃତିଚାରଣ କରି ସ୍ବାଧୀନତା ସଂଗ୍ରାମୀ ମାନେ ଆମ୍ଭ ମାନଙ୍କୁ ଅନ୍ଧାରରୁ ଆଲୋକ ଆଡ଼କୁ ବାଟ କଢ଼ାଇଥିଲେ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ସ୍ବାଧୀନତା ସଂଗ୍ରାମୀ ମାନେ ଆମର ଚିର ନମସ୍ୟ, ଚିର ସ୍ମରଣୀୟ ଓ ଚିର ବନ୍ଦନୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ | ସଭାପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କେବଳ ପୂଜ୍ୟପୂଜା ନୁହେଁ ସ୍ବାଧୀନତା ସଂଗ୍ରାମୀଙ୍କ ନୀତି ଆଦର୍ଶ ପଥରେ ଚାଲିଲେ ହିଁ ଦେଶର ବିକାଶ ସମ୍ଭବ ହେବା ସହ ସ୍ବାଧୀନତାର ପ୍ରକୃତ ଅର୍ଥ ସାର୍ଥକ ହେବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଶାନ୍ତି ପ୍ରାଣିଗ୍ରାହୀ ଓ ଡ.ସୁକାନ୍ତ ପାଣିଗ୍ରାହୀ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ମାହେଶ୍ବରୀ ପ୍ରସାଦ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଶେଷରେ ସୂର୍ଯ୍ୟ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ କମଲ ଲୋଚନ ପଣ୍ଡା ମନ୍ତ୍ରପାଠ କରିଥିବା ବେଳେ ମୋହିନୀ ମୋହନ ଦାଶ ଓ ତ୍ରିଲୋଚନ ତ୍ରିପାଠୀ ଭକ୍ତି ଗୀତ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଡ. ଶ୍ୟାମ ସୁନ୍ଦର ଧରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । କବିତା ଆସରକୁ ତଫିଜୁଲ ହୋସେନ ସଂଯୋଜନା କରିଥିବା ବେଳେ କମଲ ଲୋଚନ ପଣ୍ଡା, ବବଲୁ ବାଗ, ଦେବେନ ପଟେଲ, ଲଲିତ ମୋହନ ବେବର୍ତ୍ତ।, ପ୍ରଦୀପ ପାଣିଗ୍ରାହୀ, ଜୟକୃଷ୍ଣ ବେରୋ, ଲକ୍ଷ୍ମୀନାରାୟଣ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ମାହେଶ୍ବରୀ ପାଣିଗ୍ରାହୀଙ୍କ ସହ ବହୁ କବି କବିତା ପାଠ କରିଥିଲେ । ଶେଷରେ ଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁକାନ୍ତ କର, ଇନ୍ଦୁମତୀ ଦାସ, କୃଷ୍ଣ ଚନ୍ଦ୍ର ବାଗ, ରବୀନ୍ଦ୍ର କୁମାର ଦାଶ, ପ୍ରଦୀପ ମିଶ୍ର, ସୌଦାମିନୀ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ