ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ, ନିୟୋଜିତ ଅଛନ୍ତି ୧୫ ଜଣିଆ ଟିମ୍

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରେ ମଙ୍ଗଳବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ ଆରମ୍ଭ କରିଛି ଏଏସଆଇ। ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକଙ୍କ ନେତୃତ୍ଵରେ ପନ୍ଦର ଜଣିଆ ଦଳ ରତ୍ନଭଣ୍ଡାର ଲେଜର ସ୍କାନିଂ କାମରେ ନିୟୋଜିତ ହୋଇଛନ୍ତି। ଟିମରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ, ଏଏସଆଇ କୋର୍ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଅର୍ଥାତ ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହା ପରେ ବାହାର ରତ୍ନଭଣ୍ଡାରର କେଉଁଠି ଫାଟ ରହିଛି ତାହା ଜଣା ପଡ଼ିବ। ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ।
ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି। ଏହି କମିଟି ରତ୍ନଭଣ୍ଡାର ଲେଜର୍ ସ୍କାନିଂର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିବ। ଲେଜର ସ୍କାନିଂ ପାଇଁ ଯାହା ସହଯୋଗର ଆବଶ୍ୟକ ରହିଛି ସେସବୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, ରତ୍ନ ଭଣ୍ଡାରର ସୁରକ୍ଷା ନେଇ ହାଇକୋର୍ଟଙ୍କ ଆଦେଶକ୍ରମେ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସକ ଓ ରାଜ୍ୟ ସରକାର। ଏ ସଂକ୍ରାନ୍ତରେ ହାଇକୋର୍ଟରେ ବିଜେପି ପକ୍ଷରୁ ଆବେଦନ କରାଯାଇଥିଲା। ବୁଦ୍ଧିଜୀବୀ ମହଲରେ ମଧ୍ୟ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।