Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନକଲି ୨୦୦୦ ଟଙ୍କିଆ ନୋଟ୍ ଜବତ ମାମଲାରେ ଶୀର୍ଷରେ ଗୁଜରାଟ୍, ଜାଣନ୍ତୁ କେତେ ମିଳିଛି ନୋଟ୍

ନୂଆଦିଲ୍ଲୀ: ୨୦୧୬ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଦେଶବ୍ୟାପୀ ନୋଟବନ୍ଦୀ ଲାଗୁ କରିଥିଲେ। ଏହି ଆଧାରରେ ଦେଶରେ ପୁରୁଣା ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇ ଯାଇଥିଲା। ଏହାପରେ ବି ଦେଶର ଅନେକ ଭାଗରୁ ନକଲି ନୋଟ୍ ମିଳିବା ମାମଲା ଥମି ନ ଥିଲା। ଏହିକ୍ରମରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ୨୦୨୨ର ରିପୋର୍ଟ ସାମ୍ନାକୁ ଆସିଛି। ଏହି କ୍ରମରେ ଦେଶରେ ୨୦୦୦ ଟଙ୍କିଆ ନକଲି ନୋଟ୍ ଜବତ ହେବାରେ ଗୁଜରାଟ୍ ପ୍ରଥମ ସ୍ଥାନରେ ରହିଛି।

ଏନସିଆରବିର ୨୦୨୨ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଗୁଜରାଟରେ ସର୍ବାଧିକ ୧୧.୨୮ ଲକ୍ଷ ୨୦୦୦ ଟଙ୍କିଆ ନକଲି ନୋଟ୍ ଜବତ ହୋଇଛି। ଦେଶରେ ନକଲି ନୋଟ୍ ଜବତରେ କେବଳ ୯୮ ପ୍ରତିଶତ ଭାଗ ହେଉଛି ୨୦୦୦ ଟଙ୍କିଆ ନୋଟ୍। ଏହି ମାମଲାରେ ଅନ୍ୟ କୌଣସି ରାଜ୍ୟ ଗୁରଜାଟର  ଆଖପାଖରେ ନାହାନ୍ତି।

ତାଲିକାରେ ଦ୍ଵିତୀୟରେ ରହିଛି ଦିଲ୍ଲୀ। ଦେଶର ରାଜଧାନୀରୁ ୨୦୨୨ରେ ୭୩ ହଜାର ୨୫୩ ଟଙ୍କାର ନକଲି ୨୦୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଗୁଜରାଟର ପଡ଼ୋଶୀ ରାଜ୍ୟ ରାଜସ୍ଥାନ ୧୩ ହଜାର ୬୫୩ ନକଲି ନୋଟ୍ ସହ ତୃତୀୟ ସ୍ଥାନରେ ରହିଛି। ତେବେ ସବୁ ବର୍ଗର ନକଲି ନୋଟ୍ ଜବତରେ ଗୁଜରାଟ୍ ସର୍ବାଗ୍ରେ ରହିଛି। ଏହି ରାଜ୍ୟରୁ ହିଁ କେବଳ ୭୩ ଭାଗ ନକଲି ନୋଟ୍ ଜବତ ହୋଇଛି। ଅର୍ଥାତ ମୋଟ୍ ୩୦.୬୪ ଲକ୍ଷ ନକଲି ନୋଟ୍‌ରୁ କେବଳ ଗୁଜରାଟରୁ ୪୨.୦୭ ଲକ୍ଷ ନୋଟ୍ ଜବତ  ହୋଇଥିବା ଏନସିଆରବି ରିପୋର୍ଟରୁ ପ୍ରକାଶ।

ଏଥିରେ ୧୦ ଟଙ୍କିଆ, ୨୦ ଟଙ୍କିଆ, ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ, ୧୦୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍ ସାମିଲ୍। ସବୁ ବର୍ଗର ନକଲି ନୋଟ୍ ଉପରେ ମୋଟାମୋଟି ନଜର ପକାଇଲେ ଗୁଜରାଟ୍ ପଛରେ କର୍ଣ୍ଣାଟକ ରହିଛି। ଏହି ରାଜ୍ୟରୁ ୪.୫୯ ଲକ୍ଷ ନକଲି ନୋଟ୍ ଜବତ ହୋଇଛି।

ଗତ ମାର୍ଚ୍ଚ ମାସରେ ବିଧାନସଭାର ଶୂନକାଳରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ କହିଥିଲେ, ୨୦୨୧ ଓ ୨୦୨୨ରେ ରାଜ୍ୟରୁ ୨୬ ନକଲି ନୋଟ୍ କାରବାର କେସ୍ ସାମ୍ନାକୁ ଆସିଥିଲା। ୨୦୨୧ରେ ୯ଟି ମାମଲାରୁ ୨,୦୮୬ ନକଲି ନୋଟ୍ ଜବତ କରାଯାଇଥିବା ବେଳେ ୨୦୨୨ରେ ୧୭ଟି କେସ୍‌ରୁ ୧୪ ହଜାର ୧୬୫ ନୋଟ୍ ମିଳିଥିଲା।