Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମିୟାଙ୍କୁ ପୁରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପ୍ରମୋସନ ପାଇଁ ଆଣିବା ପଡିଲା ମହଙ୍ଗା ! ବିଜେପି ପରେ ବିଜେଡି ର ପ୍ରେସମିଟ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୭ରେ ପୁରୀ ଶ୍ରୀମନ୍ଦିରର ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନଠୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହା ମଧ୍ୟରେ ବିବାଦୀୟ ଘଟଣା ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଓ ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ପାଣ୍ଡିଆନ ମହୋଦୟ ଏମିତି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ସହାୟତା ନେଲେ ଯାହାଙ୍କର ନା ଜଗନ୍ନାଥ ସଂସ୍କୃତି ବିଷୟରେ ଜ୍ଞାନ ରହିଛି ନା ଓଡିଶା ପରମ୍ପରା ବିଷୟରେ କିଛି ଜଣା ଅଛି । ସେହି ଇନଫ୍ଲୁଏନ୍ସର ଜଣକ ହେଉଛନ୍ତି କାମିୟା ଜାନି । ତାଙ୍କ ପାଖରେ ଯଦି କିଛି ଅଛି ତାହା ହେଉଛି ଲକ୍ଷାଧିକ ଫୋଲର୍ସ । ଏ ହେଉଛନ୍ତି ସେହି କାମିୟା ଜାନି ଯିଏ ଗୋ ମାଂସ ଖାଇବା ସହ ଏହାର ପ୍ରଚାର ପ୍ରସାର କରୁଥିବାର ଦୃଶ୍ୟ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆଉ ଏହା ଦେଖିବା ଓ ଜାଣିବା ପରେ ଜଗନ୍ନାଥ ପ୍ରେମୀ ମର୍ମାହତ । ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏହାର ଭିଡିଓ କ୍ଲିପ୍ ଦେଖାଇ ରାଜ୍ୟ ସରକାରଙ୍କ ଏମିତି ଅପପ୍ରୟାସକୁ କଡା ସ୍ୱରରେ ଭର୍ତ୍ସନା କରିବା ସହ ନିନ୍ଦା କରିଛି ।

ଜଗନ୍ନାଥ ପ୍ରେମୀ ଏବଂ ସାଧାରଣ ଜନତାଙ୍କ ମନରେ ଏହି ପ୍ରଶ୍ନ ଯେ, କଣ ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମହିମାର ପ୍ରଚାର ପ୍ରସାର ପାଇଁ ବିଜୁ ଜନତା ଦଳ ତଥା ଭିକେ ପାଣ୍ଡିଆନଙ୍କୁ ଏହି ମହିୟସୀ ମହିଳା ମିଳିଲେ ଯିଏ ଗୋଟିଏ ପଟେ ଗୋ ମାଂସ(ବିଫ) ଖାଉଥିବା ବେଳେ ଅନ୍ୟପଟେ ମହାପ୍ରସାଦ ସେବନ କରୁଛନ୍ତି । କାମିୟା ଜାନି କେରଳର କୋଚିରେ ଏକ ରେଷ୍ଟୁରାଂଟରେ ବିଫ ଖାଉଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ସେଥିରେ ସେ କହୁଛନ୍ତି ଆଣ୍ଡ ଇଫ ୟୁ ଇଟ୍ ବିଫ, ଟ୍ରାଏ ଆଉଟ୍ ଦ ପାରମପୁରୀ ଆଣ୍ଡ ବିଫ କରି ! ଆଉ ଏହି ମହିୟସୀ ମହିଳା ଜଣକ ମହାପ୍ରସାଦ ସେବନ କରୁଥିବା ତାଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ତାଙ୍କ ସହିତ ବସି ଭିକେ ପାଣ୍ଡିଆନ ମଧ୍ୟ ମହାପ୍ରସାଦ ଅବଢା ସେବନ କରୁଛନ୍ତି । ଅନ୍ୟ ଏକ ଭିଡିଓରେ ପାଣ୍ଡିଆନ ପରିକ୍ରମା ପ୍ରକଳ୍ପ ବିଷୟରେ କାମିୟାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

ପାଠକ ଏବଂ ସାଧାରଣ ଜନତା ଜାଣି ରଖିବା ଉଚିତ୍ ଯେ, କାମିୟା ଜାନିଙ୍କ ପରି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ପ୍ରଥମେ ଫୋଲଅର୍ସ ରଖିଥାନ୍ତି ଏବଂ ପ୍ରତି ଭିଡିଓ ପୋଷ୍ଟ ପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇଥାନ୍ତି । ସେମାନଙ୍କର ଉଦ୍ଦେଶ୍ୟ କେବଳ ଭିଡିଓ ପୋଷ୍ଟ କରିବା ଏବଂ ଅର୍ଥ ନେବା । ସେମାନଙ୍କୁ ଯାହା ଟାସ୍କ ଦିଆଯାଏ ସେମାନେ କେବଳ ତାହା ହିଁ ଦେଖାଇଥାନ୍ତି । କାମିଆଙ୍କ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ତାଙ୍କୁ ଚପଲ ପିନ୍ଧି ସିଂହ ଦ୍ୱାର ସମ୍ମୁଖରେ ମନ୍ଦିର ବିଷୟରେ ବଖାଣୁଥିବା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ କାମିୟାଙ୍କ ଗୋ ମାଂସ ଭୋଜନ କରି ଏହାର ପ୍ରମୋଟ କରିବା ଏବଂ ଅନ୍ୟପଟେ ପୁରୀରେ ବଡଦାଣ୍ଡ ନିକଟରେ ମହାପ୍ରସାଦ ଖାଇବା ଏହାକୁ ଜଗନ୍ନାଥ ପ୍ରେମୀ ବରଦାସ୍ତ କରି ପାରିନାହାନ୍ତି । ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ।

ଦଳ କହିଛି ଏମିତି ଜଣେ ବ୍ୟକ୍ତିଙ୍କୁ କିଭଳି ଭାବେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବାକୁ ସୁଯୋଗ ଦିଆଗଲା ଯିଏ ଗୋ ମାଂସ ଖାଇ ହିନ୍ଦୁ ଓ ସନାତନ ଧର୍ମର ଘୋର ଅପମାନ କରୁଛି । ଯାହାର ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ଐତିହ୍ୟ ବିଷୟରେ ଜଣା ନାହିଁ ତାଙ୍କୁ କିଭଳି ପୁରୀ ଡକାଇ ମହାପ୍ରସାଦ ଖୁଆଇଲେ । ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଓଡିଶାବାସୀଙ୍କ ମଧ୍ୟରେ ଉଗବେଗ ପ୍ରକାଶ ପାଇବା ସହ ଭିକେ ପାଣ୍ଡିଆନଙ୍କ ନିନ୍ଦା କରିଛନ୍ତି । ଏମିତି ନିନ୍ଦନୀୟ କାମକୁ ବରଦାସ୍ତ କରାଯାଇ ପାରିବ ନାହିଁ ଜନସାଧାରଣ ମତ ପ୍ରକାଶ ପାଇଛି ।ବିଜେପିର ପ୍ରେସମିଟ ପରେ ବିଜେଡି ମଧ୍ୟ ପ୍ରେସମିଟ କରି ସଫେଇ ଦେଇଛି । କାମିୟାଙ୍କୁ ପୁରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପ୍ରମୋସନ ପାଇଁ ଆଣିବା ବିଜେଡି ଓ ପାଣ୍ଡିଆନଙ୍କୁ ମହଙ୍ଗା ପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ