ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ କାହିଁକି ଯୋଗ ଦେଉ ନାହାନ୍ତି ୪ ଶଙ୍କରାଚାର୍ଯ୍ୟ, କାରଣ କହିଲେ ପୁରୀ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ଭବ୍ୟ ଆୟୋଜନ ହେବାକୁ ଯାଉଛି । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ଗଲାଣି । ଏହା ପୂର୍ବରୁ ବିରୋଧୀ ଦାବି କରିଥିଲେ ଯେ, ପ୍ରାଣ ପ୍ରତିଷ୍ଠା ସମାରୋହରେ ୪ ଶଙ୍କରାଚାର୍ଯ୍ୟ ଯୋଗ ନ ଦେବାକୁ ନିଷ୍ପତି ନେଇଛନ୍ତି । ଏହା ମଧ୍ୟରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ କହିଛନ୍ତି, ନିମନ୍ତ୍ରଣ ସତ୍ୱେ ସେ ଅଯୋଧ୍ୟାରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ନାହିଁ । ପ୍ରାଣ ପ୍ରତିଷ୍ଠାକୁ ନେଇ ଥିବା ପରମ୍ପରାର ପାଳନ ନ ହେଉଥିବା କାରଣରୁ ସେ ଏଥିରେ ଯୋଗ ଦେଉ ନ ଥିବା ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ।
ଏଏନଆଇ ସହ ଆଲୋଚନା ବେଳେ ପୁରୀର ଶଙ୍କରାଚାର୍ଯ୍ୟ କହିଛନ୍ତି, କାହିଁକି ଚାରି ଶଙ୍କରାଚାର୍ଯ୍ୟ ଏହି ସମାରୋହରେ ଯୋଗ ଦେଉ ନାହାନ୍ତି । ସେ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କର ନିଜସ୍ୱ ଗରିମା ରହିଛି । ଏହା ଆମର ଅହଙ୍କାର ନୁହେଁ । କଣ ଆପଣମାନେ ଆମଠୁ ଏହି ଆଶା କରୁଛନ୍ତି କି ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ମୂର୍ତି ସ୍ଥାପନ କରିବେ, ସେହି ସମୟରେ ଆମେ ବାହାରେ ବସି ତାଳି ମାରିବୁ । ଏକ ଧର୍ମନିରପେକ୍ଷ ସରକାରଙ୍କ ଉପସ୍ଥିତିର ଅର୍ଥ ପରମ୍ପରା ବିନାଶ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶନିବାର କହିଥିଲେ, ରାମଲଲାଙ୍କ ପ୍ରତିଷ୍ଠା ଶାସ୍ତ୍ରୀ ବିଧି ମୁତାବକ ହେଉ ନାହିଁ । ତେଣୁ ରାମ ମନ୍ଦିରର ଉଦଘାଟନକୁ ମୋର ଯିବା ଉଚିତ୍ ହେବ ନାହିଁ । ମୁଁ ଏହି ଧରଣର ଉଦଘାଟନ କାର୍ଯ୍ୟକ୍ରମ ପ୍ରତି ସହମତ ନୁହେଁ । ପ୍ରାଣ ପ୍ରତିଷ୍ଠା ସମୟରେ ମୁହୂର୍ତକୁ ଧ୍ୟାନରେ ରଖାଯାଏ । କିଏ ମୂର୍ତି ସ୍ପର୍ଶ କରିବ, କିଏ ନ କରିବ । କିଏ ପ୍ରତିଷ୍ଠା କରିବ ଏବଂ କିଏ ନ କରିବ ତାର ବିଧି ରହିଛି । ମାତ୍ର ଏସବୁ ଶାସ୍ତ୍ରୀ ପରମ୍ପରା ନିୟମ ପାଳନ କରାଯାଉ ନାହିଁ । ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବ୍ୟତୀତ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମଧ୍ୟ ନିର୍ମାଣ ପୂରା ହୋଇ ନ ଥିବାରୁ ପ୍ରାଣ ପ୍ରତିଷ୍ଠା ସମାରୋହ ଉପରେ ପ୍ରଶ୍ନ ଉଠାଇଛନ୍ତି ।