Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଜେଟରେ ୫୦ କୋଟି ଲୋକଙ୍କୁ ମିଳିବ ଖୁସି ଖବର ! ୬ ବର୍ଷ ପରେ ବଢିପାରେ ସର୍ବନିମ୍ନ ମଜୁରୀ ମୂଲ୍ୟ

ନୂଆଦିଲ୍ଲୀ: ଦେଶର ପ୍ରାୟ ୫୦ କୋଟି କର୍ମଜୀବୀଙ୍କୁ ଆଗାମୀ ବଜେଟରେ ଖୁସି ଖବର ମିଳିପାରେ । ଆଶା କରାଯାଉଛି୬ ବର୍ଷର ଅନ୍ତରାଳ ପରେ ଏଥର ସର୍ବନିମ୍ନ ମଜୁରୀରେ ବୃଦ୍ଧି ଘଟିପାରେ । ଯଦି ଏମିତି ହୁଏ ତେବେ ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଜୀବିକା ଉପରେ ସିଧାସଳଖ ସକରାତ୍ମକ ପ୍ରଭାବ ପଡିବ ।

ଦେଶରେ ସର୍ବନିମ୍ନ ମଜୁରୀ ମୂଲ୍ୟ ଶେଷ ଥର ୨୦୧୭ରେ ପରିବର୍ତନ ହୋଇଥିଲା । ଏହା ପରଠୁ ଏ ପର୍ଯ୍ୟନ୍ତ ଶ୍ରମିକଙ୍କ ମଜୁରୀ ମୂଲ୍ୟ ବଢି ନାହିଁ । ଏଥିରେ ସୁଧାର ପାଇଁ ୨୦୨୧ରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ଏସପି ମୁଖାର୍ଜୀଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟି ଶୀଘ୍ର ନିଜର ପ୍ରସ୍ତାବ ଉପସ୍ଥାପନ କରି ପାରନ୍ତି । ଏହା ପରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢାଯାଇପାରେ ।

ସୂଚନା ଅନୁଯାୟୀ, ମୁଖାର୍ଜୀ କମିଟି ନିଜର କାମ ପୂରା କରି ସାରିଛନ୍ତି । କମିଟି ଶୀଘ୍ର ନିଜର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । ଏହି କମିଟିର ଏବେ ମାତ୍ର ଅନ୍ତିମ ପର୍ଯ୍ୟାୟ ବୈଠକ ବସିବା ବାକି ରହିଛି । ରିପୋର୍ଟ ମିଳିବା ପରେ ସରକାର ସର୍ବନିମ୍ନ ମଜୁରୀ ମୂଲ୍ୟ ପାଇଁ ବିଜ୍ଞପ୍ତି ଜାରି କରି ପାରନ୍ତି । ସେମିତିରେ ବି କମିଟିର କାର୍ଯ୍ୟକାଳ ଶୀଘ୍ର ସମାପ୍ତ ହେବାକୁ ଯାଉଛି । କମିଟିକୁ ୨୦୨୪ ଜୁନ ଯାଏ ଗଠନ କରାଯାଇଛି ।

ଆଉ ଦୁଇ ସପ୍ତାହ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ । ଫେବୃଆରୀରେ ସଂସଦର ବଜେଟ୍ ଅଧିବେଶନ ପରେ କୌଣସି ସମୟରେ ବି ଦେଶରେ ନିର୍ବାଚନ ଘୋଷଣା କରାଯାଇପାରେ । ଲୋକସଭାର କାର୍ଯ୍ୟକାଳ ମେ ମାସରେ ସମାପ୍ତ ହେଉଛି । ତେଣୁ କୁହାଯାଉଛି ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହୋଇପାରେ ।