Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମସ୍ତ ନିମନ୍ତ୍ରିତ ଅତିଥି ଆସିଛନ୍ତି, କେବଳ ଦିନକ ପାଇଁ ନୁହେଁ ସବୁ ଦିନ ସୁବିଧା ମିଳୁ ଆମର ଲକ୍ଷ୍ୟ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଆଉ କିଛି ସମୟ ପରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଲୋକାର୍ପଣ ପୂର୍ବରୁ ଉତ୍ସବମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର । ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ । ପରିକ୍ରମା ପ୍ରକଳ୍ପ ବୁଲି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଚତୁର୍ଦିଗ ଜଗନ୍ନାଥମୟ, ଆଖି ଲାଖିଲା ଭଳି ଆକର୍ଷଣରେ ପରିବେଶ । ପୁରୀ ବଡଦାଣ୍ଡର ରାସ୍ତାଘାଟ, କାନ୍ଥବାଡ, କୋଣ ଅନୁକୋଣ ସୁସଜ୍ଜିତ ହୋଇ ରହିଛି । ନିମନ୍ତ୍ରଣ ରକ୍ଷା କରି ସମସ୍ତେ ଆସିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ।

ଦିଲ୍ଲୀ, ଉଜ୍ଜୟିନୀ, ଦୁବାଇ, ଆମେରିକା, ଅଷ୍ଟ୍ରେଲିଆରୁ ନିମନ୍ତ୍ରିତ ଅତିଥିମାନେ ଆସିଛନ୍ତି । ସବୁ ଜଗନ୍ନାଥ ମନ୍ଦିରରୁ ପୂଜକଙ୍କୁ ନିମନ୍ତ୍ରଣ କରାଯାଇଛି । ଐତିହ୍ୟ ସହ ସମସ୍ତଙ୍କୁ ଯୋଡି ରଖିବା ପ୍ରୟାସ ଜାରି ରହିଛି । ଭକ୍ତ ଓ ଭଗବାନଙ୍କ ମିଳନ ହେଉଛି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ସମସ୍ତେ ଭଲ ଅନୁଭୂତି ନେଇ ଫେରନ୍ତୁ । କେବଳ ଆଜି ଦିନକ ପାଇଁ ନୁହେଁ ସବୁଦିନ ସୁବିଧା ମିଳୁ ଆମର ଲକ୍ଷ୍ୟ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧.୨୦ ମିନିଟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ ବୋଲି ଲଗ୍ନ ଧାର୍ଯ୍ୟ ହୋଇଛି । ଲୋକାର୍ପଣ ଫଳକର ଡୋରି ଫିଟାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ କରିବେ । ଏହାପରେ ଗଜପତି ଦେବେ ପୂର୍ଣ୍ଣାହୂତି । ଅଭିମନ୍ତ୍ରିତ ଜଳକୁ ପରିକ୍ରମା ମାର୍ଗ ଓ ଫଳକ ଉପରେ ସିଞ୍ଚନ କରାଯାଇଛି । ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ, ସକାଳେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ ସହ ହବନ ଅନୁଷ୍ଠିତ ହେବ ।

ଅପରାହ୍ଣ୍ଣ ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସଂଧ୍ୟାରେ ଲାଇଟ୍ ଏବଂ ସାଉଣ୍ଡ ସୋ’ର ବ୍ୟବସ୍ଥା ହୋଇଛି । ଯେଉଁଥିରେ କାଞ୍ଚି ଅଭିଯାନର କଥା କହିବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ । ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରର ପ୍ରଦକ୍ଷିଣ ଲାଗି ୫୦ରୁ ଅଧିକ ବ୍ୟାଟେରୀ ଗାଡ଼ିର ବ୍ୟବସ୍ଥା କରାଯାଇଛି ।