Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଫେବୃଆରୀ ୫ରୁ ବିଧାନସଭା ବଜେଟ୍ ଅଧିବେଶନ, ଉପସ୍ଥାପନ ହେବ କାମଚଳା ବଜେଟ୍‌

ଭୁବନେଶ୍ୱର: ଫେବୃଆରୀ ୫ରୁ ବିଧାନସଭା ବଜେଟ୍ ଅଧିବେଶନ । ଏହି ଅଧିବେଶନରେ ଆଗତ ହେବ କାମଚଳା ବଜେଟ୍ । ଫେବୃଆରୀ ୫ରୁ ୧୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ନବୀନ ପଟ୍ଟନାୟକ ସରକାରଙ୍କ ପଂଚମ ପାଳିର ଏହା ହେଉଛି ଶେଷ ବଜେଟ୍ । ଏହି ବଜେଟରେ ରାଜ୍ୟ ସରକାର ଅନେକ ଲୋକାଭିମୁଖୀ ଘୋଷଣା କରି ପାରନ୍ତି । ୫ରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ୮ରେ ବଜେଟ୍ ଆଗତ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତି କରିବେ ।

ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ଫେବ୍ରୁଆରୀ ୫ରୁ  ଆରମ୍ଭ ହୋଇ ୧୩ ଯାଏ ଚାଲିବ ଅଧିବେଶନ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ୫ ତାରିଖରେ ପ୍ରଥମେ ଅଭିଭାଷଣ ରଖିବେ ରାଜ୍ୟପାଳ । ଏହାପରେ ୮ ତାରିଖ ଦିନ କାମଚଳା ବଜେଟ୍‌ ଉପସ୍ଥାପନ ହେବ ।

ଉଲ୍ଲେଖନୀୟ ଏହା ପୂର୍ବରୁ କେନ୍ଦ୍ର ସରକାର ବଜେଟ୍ ଆଗତ କରିବେ । ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହା ପରେ ଜାନୁଆରୀ ୩୧ରେ ଆର୍ଥିକ ସର୍ଭେକ୍ଷଣ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଏହା ମୋଦୀ ସରକାର ୨.୦ର ଶେଷ ବଜେଟ୍ ହେବ । ତେଣୁ ଏହି ବଜେଟରେ ଅନେକ ବଡ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାର ବଜେଟରେ ମହିଳା ଓ କୃଷକଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ । ଏହା ସହିତ କରଦାତାଙ୍କ ପାଇଁ ବଡ ଆଶ୍ୱସ୍ତିକର ଘୋଷଣା କରି ପାରନ୍ତି ସରକାର । ସବୁ ବର୍ଗକୁ ଦୃଷ୍ଟିରେ ରଖି ସରକାର ଲୋଭନୀୟ ବଜେଟ୍ କରିବେ ବୋଲି ଆଶା କରାଯାଉଛି । ଏହି ବଜେଟରେ ସରକାର କୃଷକଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧିକୁ ଦୁଇ ଗୁଣ କରିବାକୁ ପ୍ରସ୍ତାବ ଆଣି ପାରନ୍ତି । ହେଲେ ବର୍ତମାନ ସରକାରଙ୍କ ଏଜେଣ୍ଡାରେ କୌଣସି ବଡ ବିଧାୟୀ କାର‌୍ୟ୍ୟ ନାହିଁ ।