Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୀତାମ୍ବର ବସ୍ତ୍ର, ସ୍ୱର୍ଣ୍ଣ ଆଭୂଷଣ, ହାତରେ କୋଦଣ୍ଡ ଓ ତୀର, ସାମ୍ନାକୁ ଆସିଲା ରାମଲାଲାଙ୍କ ପୂର୍ଣ୍ଣ ଛବି

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ସଂପନ୍ନ ହୋଇ ସାରିଛି । ଏହା ସହିତ ଲୋକଙ୍କ ଶହ ଶହ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିଛି । ରାମଲାଲା ଗର୍ଭଗୃହରେ ବିରାଜମାନ ହୋଇଛନ୍ତି । ଏହା ସହିତ ପ୍ରଭୁ ଶ୍ରୀରାମଙ୍କ ପ୍ରଥମ ଛବି ସାମ୍ନାକୁ ଆସିଛି । ଫଟୋରେ ରାମଲାଲାଙ୍କ ମସ୍ତକରେ ସ୍ୱ୍‌ର୍ଣ ମୁକୁଟ ଶୋଭା ପାଉଛି । ବେକରେ ମୋତିହାର ରହିଥିବା ବେଳେ କର୍ଣ୍ଣରେ କୁଣ୍ଡଳି ସୁଶୋଭିତ ଦେଖା ଦେଉଛି । ହାତରେ ସୁନାର ଧନୁ ଓ ବାଣ ରହିଛି । ରାମଲାଲାଙ୍କୁ ହଳଦିଆ ଧୋତି ପରିଧାନ କରାଯାଇଛି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ ଗର୍ଭଗୃହରେ ପିଏମ ମୋଦୀ ରାମଲାଲାଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ମୁର୍ତିକୁ ରୀତି ନୀତି ଅନୁସାରେ ଅନାବରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା ସମୟରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ୍‌, ସଂଘ ପ୍ରମୁଖ ମୋହନ ଭାଗବତ ମଧ୍ୟ ନଜର ଆସିଛନ୍ତି ।

ଏହି ମୂର୍ତିକୁ କର୍ଣ୍ଣାଟକର ମୂର୍ତିକାର ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି, ଯାହାକୁ ଶାଳିଗ୍ରାମ ଶିଳାରୁ ତିଆରି କରାଯାଇଛି । ଏହି ପଥରର ରଙ୍ଗ କଳା ହୋଇଥାଏ । ଶାସ୍ତ୍ର ଓ ଧର୍ମ ଗ୍ରନ୍ଥରେ ଶାଳିଗ୍ରାମ ପଥରକୁ ସାକ୍ଷାତ ଭଗବାନ ବିଷ୍ଣୁଙ୍କ ସ୍ୱରୂପ କୁହାଯାଏ । ମର୍ଯାଦା ପୁରୁଷୋତମ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଋାମଲାଲାଙ୍କ ମୂର୍ତିର ଉଚ୍ଚତା ୫୧ ଇଂଚ ରହିଛି । ଏହାର ଓଜନ ପାଖାପାଖି ୨୦୦ କିଲୋଗ୍ରାମ ରହିଛି ।