Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ପଞ୍ଚାୟତ ରାଜନୀତିରେ ଏବେ ଲାଲୁ-ରାବଡୀ ଟ୍ରେଣ୍ଡ

ଧର୍ମଗଡ଼,ତା୯/୪-ନବେ ଦଶକ ଶେଷ ଭାଗରେ ଯେତେବେଳେ ରାବଡୀ ଦେବୀ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେଲେ ସେତେବେଳେ ରାଜନୀତିରେ ରୁଚି ରଖୁଥିବା ଅନେକ ଲୋକଙ୍କ ପାଇଁ ସେ ସଖିକଣ୍ଢେଇ ମୁଖ୍ୟମନ୍ତ୍ରୀ ଥିଲେ। ଅନେକେ ତ ସେ ସମୟରେ ଏଭଳି ବ୍ୟବସ୍ଥା ଗଣତନ୍ତ୍ର ପାଇଁ ଆତ୍ମଘାତୀ ବୋଲି ବର୍ଣ୍ଣନା କଲେ । ଇତି ମଧ୍ୟରେ ଏହି ଘଟଣାକୁ ଦୁଇ ଦଶନ୍ଧି ବିତିଗଲାଣି। ଦୁଇ ଦଶନ୍ଧି ପରେ ଏବେ କଳାହାଣ୍ଡିରେ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି। ସ୍ତ୍ରୀ କୁ ସାମ୍ନାରେ ରଖି ରାଜନୀତି କରିବା ପରମ୍ପରା ଏବେ କଳାହାଣ୍ଡିରେ ଆରମ୍ଭ ହୋଇଛି। ସ୍ତ୍ରୀ ବ୍ଳକ ଅଧ୍ୟକ୍ଷା ହେଲେ ସ୍ଵାମୀ ଉପାଧ୍ୟକ୍ଷ । ସ୍ତ୍ରୀ ସରପଂଚ ହେଲେ ସ୍ଵାମୀ ନାଏବ ସରପଞ୍ଚ। ଏମାନେ କିନ୍ତୁ ନାମକୁ ଅଧ୍ୟକ୍ଷା କିମ୍ବା ସରପଞ୍ଚ ଅଟନ୍ତି। ପ୍ରକୃତ କ୍ଷମତା ରହିଛି ତାଙ୍କ ସ୍ବାମୀଙ୍କ ହାତରେ। ଯଦିଓ ସେ ଉପାଧ୍ୟକ୍ଷ କିମ୍ବା ନାଏବ ସରପଞ୍ଚ ତଥାପି ତାଙ୍କ ବିନା ଅନୁମତିରେ ତାଙ୍କ ନିର୍ବାଚନ କ୍ଷେତ୍ରରେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ। କଳାହାଣ୍ଡି ଜିଲ୍ଲାର ଦୁଇ ତିନୋଟି ବ୍ଳକରେ ଏହି ଟ୍ରେଣ୍ଡ ଏବେ ଜାରି ରହିଛି। ଏହି ଟ୍ରେଣ୍ଡ ପରୀକ୍ଷାମୂଳକ ଏବଂ କଳାହାଣ୍ଡି ତା’ର ପରୀକ୍ଷାଗାର ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମାନଙ୍କ କାର୍ଯ୍ୟକଳାପକୁ ନେଇ ଖବରର ଶୀର୍ଷକ ମଧ୍ୟ ବେଶ ରୋଚକ ଥିବା ଦେଖିବାକୁ ମିଳେ।”ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଲେ ଉପାଧ୍ୟକ୍ଷ ପୂରଣ କଲେ” । ଅଧ୍ୟକ୍ଷା କାହିଁକି ପ୍ରତିଶ୍ରୁତି ପୂରଣ କଲେ ନାହିଁ ସେ ବିଷୟରେ ଆଲୋଚନା ହୁଏ ନାହିଁ। ପୂର୍ବ ଦିନମାନଙ୍କରେ ରାଜନୀତି କେବଳ ପୁରୁଷଙ୍କ ଏକଚାଟିଆ ଅଧିକାର ହୋଇ ରହିଥିଲା। ସମୟକ୍ରମେ ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ମହିଳାଙ୍କୁ ରାଜନୈତିକ ଅଧିକାର ଦେଲେ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ପାଇଁ ୫୦ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଲେ । ମହିଳାମାନେ ରାଜନୀତିକୁ ଆସିଲେ, ନିର୍ବାଚନ ଲଢିଲେ ଏବଂ ଜିତିଲେ ମଧ୍ୟ। କିନ୍ତୁ ପ୍ରକୃତ କ୍ଷମତା ରହିଲା ତାଙ୍କ ସ୍ଵାମୀ,ବାପା ଭାଇ କିମ୍ବା ପରିବାରର ଅନ୍ୟ କେହି ସମ୍ପର୍କୀୟଙ୍କ ହାତରେ। ଏହାକୁ ନେଇ ସଭାସମିତି ଗଣମାଧ୍ୟମ ଆଦିରେ ସମାଲୋଚନା ହେବା ପରେ ତଥାକଥିତ ରାଜନୈତିକ ମହତ୍ଵାକାଂକ୍ଷୀ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ଆଉ ଏକ ନୂଆ ଫର୍ମୁଲା ଉଦ୍ଭାବନ ହେଲା । ତାହା ହେଲା “ସରପଞ୍ଚ ପ୍ରତିନିଧି, ସମିତି ସଭ୍ୟ ପ୍ରତିନିଧି, ଚେୟାରମେନ ପ୍ରତିନିଧି “। ଏ ପ୍ରତିନିଧି ଶବ୍ଦ ବିଶେଷତଃ ସାଂସଦ କିମ୍ବା ବିଧାୟକମାନେ ବ୍ୟବହାର କରୁଥିଲେ। ବିଭିନ୍ନ କାରଣରୁ ଅନେକ ସମୟରେ ସବୁ ସ୍ଥାନରେ ଉପସ୍ଥିତ ନରହି ପାରିବା ହେତୁ ବିଧାୟକ ଏବଂ ସାଂସଦମାନେ ପ୍ରତି ବ୍ଳକରେ ଜଣେ ଜଣେ ପ୍ରତିନିଧି ରଖୁଥିଲେ। ଯେଉଁମାନେ ସାଂସଦ ବିଧାୟକଙ୍କ ଅନୁପସ୍ଥିତିରେ ଲୋକଙ୍କ କଥା ବୁଝିବା ସହ ଲୋକଙ୍କ ସମସ୍ୟା ସେମାନଙ୍କୁ ଜଣାଉଥିଲେ । କିନ୍ତୁ ମାତ୍ର ୧୦୦୦/୨୦୦୦ଭୋଟ ପାଇଁ ନିର୍ବାଚିତ ହେଉଥିବା ସରପଞ୍ଚ ସମିତି ସଭ୍ୟ ବି ସେଇ ପନ୍ଥା ଆପଣେଇଲେ। ସାମ୍ବିଧାନିକ ବିଧିବ୍ଯବସ୍ଥାରେ ପଞ୍ଚାୟତ ନିର୍ବାଚନ ପ୍ରତିନିଧିଙ୍କ ପାଇଁ ଏଭଳି ପ୍ରାବଧାନ ଅଛି କି ନାହିଁ ? ତେବେ କାହାର ପ୍ରତିନିଧି ହୋଇ ଜଣେ ସରକାରୀ ଅଧିକାରୀଙ୍କୁ ଚାପ ପକେଇବା ସେତେ ସହଜ ନୁହେଁ। ତେଣୁ ଏବେ ମହତ୍ଵାକାଂକ୍ଷୀ ରାଜନୈତିକ ବ୍ୟକ୍ତିବିଶେଷ ଲାଲୁ-ରାବଡୀ ଫର୍ମୁଲା ଆପଣେଇଛନ୍ତି। ସ୍ତ୍ରୀକୁ ସଖିକଣ୍ଢେଇ ସଜେଇ ପ୍ରକୃତ କ୍ଷମତାକୁ ସେମାନେ ଜାବୁଡ଼ି ଧରିଛନ୍ତି। ସଂପୃକ୍ତ ନିର୍ବାଚିତ ମହିଳା ଜଣ କେବଳ ତାଙ୍କ ଇସାରାରେ ଦସ୍ତଖତ କରୁଛନ୍ତି।