ରେଳ ମନ୍ତ୍ରୀ ଦେଲେ ଖୁସି ଖବର; ଦେଢ ଲକ୍ଷ ପଦରେ ନିଯୁକ୍ତି ପ୍ରକ୍ରିୟା ପୁରା, ଏବେ ପ୍ରତି ବର୍ଷ ବାହାରିବ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ ଖୁସିଖବର ଦେଇଛନ୍ତି । ସେ କହିଛନ୍ତି, ରେଲୱେ ଅଧିକ ରୋଜଗାର ଦେବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ହିସାବରେ ଦେଢ ଲକ୍ଷ ପଦରେ ନିଯୁକ୍ତି ଦେବା ପ୍ରକ୍ରିୟା ପୂରା ହୋଇ ସାରିଛି । ଏବେ ସହାୟକ ଲୋକ ପାଇଲଟ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ରେଳ ମନ୍ତ୍ରୀ କହିଛନ୍ତି, ଗ୍ରୁପ ଡିରେ ଟେକନିକାଲ ଓ ନନ ଟେକନିକାଲ ବର୍ଗରେ ଅଧିକ ନିଯୁକ୍ତି ମିଳିବ ।
ବୈଷ୍ଣବ କହିଛନ୍ତି, ଏଥର ପ୍ରତି ବର୍ଷ ନିଯୁକ୍ତି ଦିଆଯିବ, ଯଦ୍ୱାରା ଅଧିକ ଲୋକଙ୍କୁ ରୋଜଗାର ମିଳି ପାରିବ । ପୂର୍ବ ମଧ୍ୟ ରେଲୱେର ମହାପ୍ରବନ୍ଧକ ଅନିଲ କୁମାର ଖଣ୍ଡେଲୱାଲ କହିଛନ୍ତି ରେଲୱେ ପକ୍ଷରୁ ଏବେ ପ୍ରତି ବର୍ଷ ନିୟମିତ ଆଧାରରେ ନିଯୁକ୍ତି ବାହାରିବ । ଭାରତୀୟ ରେଳବାଇର ଭିତିଭୂମି ସୁଦୃଢ ହେବାରେ ଲାଗିଛି । ଚଳିତ ବର୍ଷ ଜାନୁଆରୀରେ ୫ ହଜାର ୬୯୬ ସହାୟକ ଲୋକୋ ପାଇଲଟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।
ଏବେ ରେଲୱେରେ ଚାକିରି କରିବାକୁ ଇଚ୍ଛୁକ ଆଶାୟୀଙ୍କ ପାଇଁ ପ୍ରତି ବର୍ଷ ନିଯୁକ୍ତିର ସୁଯୋଗ ମିଳିବ । କୌଣସି କାରଣରୁ ଗୋଟିଏ ବର୍ଷ ପରୀକ୍ଷାରେ କୃତକାର୍ଯ୍ୟ ନ କଲେ ପରବର୍ତୀ ବର୍ଷ ପରୀକ୍ଷା ଦେଇ ପାରିବେ । ଏହା ପୂର୍ବରୁ ରେଲୱେ ପ୍ରତି ୩ରୁ ୪ ବର୍ଷରେ ଥରୁଟିଏ ନିଯୁକ୍ତି ବାହାରୁଥିଲା । ମାତ୍ର ଏବେ ପ୍ରତିବର୍ଷ ଭେକେନ୍ସି ବାହାରିବ ବୋଲି ଅଧିକାରୀ କହିଛନ୍ତି ।