ଶଙ୍ଖନାଦ ଓ ଘଂଟିରେ ଗୁଞ୍ଜି ଉଠିଲା ପରିସର, ୩୧ ବର୍ଷ ପରେ ଜ୍ଞାନବାପୀରେ ହେଲା ପୂଜାର୍ଚ୍ଚନା


ବାରାଣସୀ: ଜ୍ଞାନବାପୀ ମସଜିଦ ପରିସରରେ ଗୁରୁବାର ଭୋର ସକାଳେ ପୂଜାର୍ଚ୍ଚନା କରାଯାଇଛି । ମସଜିଦ ଭିତରେ ନିର୍ମିତ ବ୍ୟାସ କା ତହଖାନାରେ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜାରୀ ସମେତ ପ୍ରକାଶ ମିଶ୍ର ଓ ଗଣେଶ୍ୱର ଦ୍ରାବିଡ ବ୍ରାହ୍ମ ମୁହୂର୍ତରେ ପୂଜା କରାଇଛନ୍ତି । ବିଧି ବିଧାନର ସହ ମଙ୍ଗଳା ଗୌରୀଙ୍କ ଆରାଧନା କରାଯାଇଛି । ଏହିପରି ୩୧ ବର୍ଷ ପରେ ଜ୍ଞାନବାପୀ ପରିସରରେ ପୂଜାର୍ଚ୍ଚନା ପୁନର୍ବାର ଆରମ୍ଭ ହୋଇଛି । ୧୯୯୩ ନଭେମ୍ବରରେ ସେଠାରେ ପୂଜା ବନ୍ଦ କରାଯାଇ ବ୍ୟାରିକେଡିଂ କରାଯାଇଥିଲା । ବାରାଣସୀ କୋର୍ଟ ବୁଧବାର ବ୍ୟାସ ତହଖାନାରେ ହିନ୍ଦୁଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ । ଏହା ପରେ ରାତିରେ ବ୍ୟାରିକେଡିଂ ହଟାଯାଇ ପୂଜାର ବ୍ୟବସ୍ଥା କରାଯାଇଥିଲା ।

କମିଶନର କୌଶଲରାଜ ଶର୍ମା, ପୋଲିସ କମିଶନର ମୁଥା ଅଶୋକ ଜୈନ ଓ ଡିଏମ ଏସ ରାଜଲିଙ୍ଗମ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଫିସର ବୁଧବାର ରାତି ୧୧ଟା ୩୦ରେ ଜ୍ଞାନବାପୀ ପହଂଚିଥିଲେ । ସେଠାରେ ଜିଲ୍ଲା ଜଜଙ୍କ ଆଦେଶକ୍ରମେ ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ରାତି ୧୨ଟା ୩୦ରେ ତହଖାନା ଚାରିପଟେ ଲାଗିଥିବା ଲୁହାର ବ୍ୟାରିକେଟକୁ ହଟାଯାଇଥିଲା । ସଫା ସୁତୁରା କରିବା ପରେ ପୂଜାର୍ଚ୍ଚନା କରାଯାଇଛି ।

ଜ୍ଞାନବାପୀର ଦକ୍ଷିଣ ତହଖାନାରେ ପ୍ରବେଶ ପାଇଁ ବ୍ୟାରିକେଡିଂର ରାସ୍ତା ତିଆରି କରାଯାଇଥିଲା । ଏହା ପରେ ସକାଳ ଭୋର ୩ଟାରେ ତହଖାନାରେ ମୂର୍ତିଙ୍କ ପୂଜା ଆରତି କରାଯାଇଛି । ଅନ୍ୟପଟେ ବିଶ୍ୱନାଥ ମନ୍ଦିର ସମେତ ପୂରା ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶ୍ୱନାଥ ଧାମ ଓ ଆଖପାଖ ଅଂଚଳରେ ରାରିରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି । ଉଲ୍ଲେଖନୀୟ ବୁଧବାର ଜ୍ଞାନବାପୀ ପରିସରରେ ସ୍ଥିତ ଦକ୍ଷିଣ ତହଖାନାରେ ପୂଜା ପାଇଁ ଜିଲା ଜଜଙ୍କ ଆଦେଶ ପରେ ପୋଲିସ ସକ୍ରିୟ ହୋଇଥିଲା ।