ମାଘ ମାସରେ ଗରମ, ବଢିଲା ରାତିର ତାପମାତ୍ରା; ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ବୃଦ୍ଧି

ଭୁବନେଶ୍ୱର: ମାଘ ମାସରେ ଶୀତ ବଦଳରେ ଗରମ ଅନୁଭୁତ । ରାଜ୍ୟରେ ଗାଏବ ହେଲାଣି ଶୀତ । ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରା ବୃଦ୍ଧି ଘଟିବା ସହ ଦିନରେ ଗରମ ଅନୁଭୂତ ହେଲାଣି । ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ବଢିଲାଣି ରାତିର ତାପମାତ୍ରା । ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା ବଢିଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ପାଖାପାଖି ୨୦ ଡିଗ୍ରୀ ଛୁଇଁଲାଣି । ସୋମବାର ରାଜ୍ୟର ୧୫ଟି ସ୍ଥାନରେ ରାତିର ପାରଦ ୧୮ ଡିଗ୍ରୀ ରେକର୍ଡ ହୋଇଛି । ପୁରୀରେ ରାତିର ତାପମାତ୍ରା ସର୍ବାଧିକ ୨୨.୫ ଡିଗ୍ରୀ ରହିଛି । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଦିନ ବେଳେ ମଧ୍ୟ ପାରଦ ୩୦ ଡିଗ୍ରୀ ଛୁଇଁଲାଣି । ଏବେଠୁ ଗରମ ଅନୁଭୂତ ହେଲାଣି । ଗତକାଲି ଟିଟିଲାଗଡରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ୩୪.୨ ଡିଗ୍ରୀ ସହ ଭବାନୀପାଟଣା ଦ୍ୱିତୀୟ, ୩୪ ଡିଗ୍ରୀ ସହ ମାଲକାନଗିରି ଓ ପାରଳାଖେମୁଣ୍ଡି ତୃତୀୟ ସ୍ଥାନରେ ରହିଛନ୍ତି । ଏପରିକି ରାଜ୍ୟର ଅନେକ ଜିଲ୍ଲାରେ ପାରଦ ୩୦ ଡିଗ୍ରୀ ଉପରେ ରହିଛି ।