ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ, ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ପୁରୀ: ଆଜି ଅଗଣିତ ଭକ୍ତଙ୍କୁ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି । ବଡଛତା ମଠରୁ ଆସିଥିବା ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳ ସେବକ ପଦ୍ମବେଶ ପ୍ରସ୍ତୁତ କରିଛନ୍ତି । ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପଦ୍ମବେଶ ବିଜେ କରିବ । ବଡସିଂହାର ବେଶ ପରେ ଶ୍ରୀଜିଉଙ୍କଠାରେ ଲାଗି ହେବ । ପଦ୍ମବେଶରେ ଥାଇ ଶ୍ରୀଜିଉଙ୍କ ପହୁଡ ନୀତି ଅନୁଷ୍ଠିତ ହେବ ।
ପରଦିନ ମଙ୍ଗଳଆଳତି ପରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ପଦ୍ମବେଶ ଦର୍ଶନ କରିପାରିବେ। ଏହି ଦୃଷ୍ଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ମହାପ୍ରଭୁଙ୍କ ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଠାକୁରଙ୍କ ବେଶ ପ୍ରସ୍ତୁତ ହୋଇଛି । ପରମ୍ପରା ଅନୁସାରେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ । ସେହିପରି ରବିବାର ସକାଳେ ବେଶରେ ଥାଇ ଠାକୁରଙ୍କ ମଙ୍ଗଳାଳତି ବଢିବ ।