ଦୁଇ ହଜାର ଟ୍ରାକ୍ଟରରେ ୨୦ ହଜାର କୃଷକ, ପିଏମ ମୋଦୀଙ୍କ ବାସଭବନ ଘେରିବାକୁ ବଡ ଯୋଜନା


ନୂଆଦିଲ୍ଲୀ: ଅନେକ ଦାବି ନେଇ ଦିଲ୍ଲୀରେ ଡେରା ପକାଇ ଆନ୍ଦୋଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରୁଛି କୃଷକ ସଂଗଠନ । ଏହାର ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ଆଲର୍ଟ ହୋଇ ଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ୨୦୦୦ ଟ୍ରାକ୍ଟରରେ ପ୍ରାୟ ୨୦ ହଜାର କୃଷକ ଦିଲ୍ଲୀରେ ପଶିବାକୁ ଉଦ୍ୟମ କରି ପାରନ୍ତି । ଏହି କୃଷକମାନେ ଦେଶର ଭିନ୍ନ ଭିନ୍ନ ରାଜ୍ୟ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତର ପ୍ରଦେଶ, କେରଳ ଓ କର୍ଣ୍ଣାଟକରୁ ଦିଲ୍ଲୀ ଆସିବାକୁ ପ୍ରସ୍ତୁତି କରୁଛନ୍ତି । ପୋଲିସ ଆଶଙ୍କା କରୁଛି ଯେ, କୃଷକଙ୍କ ବାହାନାରେ ଅସାମାଜିକ ତତ୍ୱ ଦିଲ୍ଲୀରେ ପ୍ରବେଶ କରି ପାରନ୍ତି । ଏଥିରେ ସହରର ଆଇନ ଶୃୂଙ୍ଖଳା ବ୍ୟବସ୍ଥା ବିଗିଡିପାରେ ।

ପୋଲିସ ଆଶଙ୍କା କରୁଛି ଯେ, କୃଷକ ଦିଲ୍ଲୀରେ ପଶିବା ପାଇଁ କାର, ବାଇକ, ମେଟ୍ରୋ କିମ୍ବା ବସର ବ୍ୟବହାର କରି ପାରନ୍ତି, ଯଦ୍ୱାରା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଚକମା ଦିଆଯାଇ ପାରିବ । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ, ଦିଲ୍ଲୀରେ ପ୍ରବେଶ କରିବା ପରେ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରି ପାରନ୍ତି । ଏହା ବ୍ୟତୀତ କୃଷକ ସଂଗଠନ ମନ୍ତ୍ରୀ ଓ ଅନେକ ବିଜେପି ନେତାଙ୍କ ସମେତ ଅନ୍ୟ ଭିଆଇପିଙ୍କ ବାସଭବନ ବାହାରେ ପ୍ରଦର୍ଶନ କରି ପାରନ୍ତି । ଏପରିକି ଆନ୍ଦୋଳନରେ ମହିଳା ଓ ଛୋଟ ପିଲା ମଧ୍ୟ ଆନ୍ଦୋଳନରେ ସାମିଲ୍ ହୋଇ ପାରନ୍ତି ।

ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଦିଲ୍ଲୀ ଓ ୟୁପି ସଂଲଗ୍ନ ସମସ୍ତ ସୀମାରେ ମଙ୍ଗଳବାର ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଛି । ବର୍ଡର ଅଂଚଳରେ ଏକତ୍ରିତ ହେବାକୁ ମନା କରାଯାଇଛି । ଉତର ପ୍ରଦେଶ ଆଡୁ ଦିଲ୍ଲୀକୁ ଟ୍ରାକ୍ଟର, ଟ୍ରଲି, ବସ୍‌, ଟ୍ରକ, ବାଣିଜ୍ୟିକ ବାହାନ ଆଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏପରିକି ଘୋଡାରେ ବସି ଆସିବା ମନା । ଡେପୁଟୀ କମିଶନର ଅଫ ପୋଲିସ ଉତର-ପୂର୍ବ ଜିଲ୍ଲା, ଜୟ ତିର୍କୀଙ୍କ ପକ୍ଷରୁ ଆଦେଶ ଦିଆଯାଇଛି । କୌଣସି ବି ପ୍ରଦର୍ଶନକାରୀ ହତିଆର, ଖଣ୍ଡା, ତ୍ରିଶୂଳ, ଲାଠି, ରଡ୍ ଆଦି ସାଥିରେ ନେଇ ପ୍ରଦର୍ଶନରେ ସାମିଲ୍ ହୋଇ ପାରିବେ ନାହିଁ ।