ଏକାକୀ ଟାଟା ପୁରା ପାକିସ୍ତାନ ଉପରେ ଭାରି, ପାକ ଅର୍ଥନୀତିକୁ ପକାଇଲା ପଛରେ


ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନର ସ୍ଥିତି କାହାକୁ ଅଛପା ନୁହେଁ । ତେବେ ଆପଣ କଣ ଜାଣନ୍ତି କି ଏକାକୀ ଟାଟା ଗ୍ରୁପ ପୁରା ପାକିସ୍ତାନର ଅର୍ଥନୀତିକୁ ପଛରେ ପକାଇ ଦେଇଛି । ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପର ମାର୍କେଟ୍ କ୍ୟାପ୍ ୩୬୫ ବିଲିୟନ ଡଲାର ଅର୍ଥାତ ୩୦.୩୦ ଲକ୍ଷ କୋଟି ଟଙ୍କା । ଅନ୍ୟପଟେ ଆଇଏମଏଫର ରିପୋର୍ଟ ଅନୁସାରେ ପାକିସ୍ତାନର ଜିଡିପି ୩୪୧ ବିଲିୟନ ଡଲାର । ଅର୍ଥାତ ଏକାକୀ ଟାଟା ଗ୍ରୁପ ପାକିସ୍ତାନର ଅର୍ଥନୀତିକୁ ଟପି ଯାଇଛି । ଏକାକୀ ଟାଟା ପୁରା ପାକିସ୍ତାନ ଉପରେ ଭାରି।

ସୁନାଠୁ ନେଇ ସଫ୍ଟୱେର ପର୍ଯ୍ୟନ୍ତ କାରବାର କରୁଥିବା ଟାଟା ଗ୍ରୁପରେ ଏକାଧିକ ବଡ ବଡ କମ୍ପାନୀ ରହିଛି । ଟାଟା କନସଲଟାନ୍ସି ସର୍ଭିସେସ(ଟିସିଏସ)ର ଭେଲ୍ୟୁଏସନ ୧୫ ଲକ୍ଷ କୋଟି ଅର୍ଥାତ ୧୭୦ ବିଲିୟନ ଡଲାର । ଏହା ଭାରତର ଦ୍ୱିତୀୟ ସବୁଠୁ ବଡ କମ୍ପାନୀ । ଏହି ହିସାବରେ ପାକିସ୍ତାନର ଅଧା ଅର୍ଥବ୍ୟବସ୍ଥା ଟିସିଏସ ସହ ସମାନ ରହିଛି ।

ଗତ ବର୍ଷ ଟାଟା ମୋଟର୍ସ ଓ ଟ୍ରେଂଟ ସେୟାରର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ଟାଟା ଗ୍ରୁପର ଭେଲ୍ୟୁଏସନ ବଢିବାରେ ଲାଗିଛି । ଗତ ବର୍ଷ ଏକ ଦଶନ୍ଧି ପରେ ଟାଟା ଗ୍ରୁପର କୌଣସି କମ୍ପାନୀର ଆଇପିଓ ଆସିଥିଲା । ଯେଉଁଥିରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ମିଳିଥିଲା । ଟାଟା ଟେକ୍ନୋଲୋଜି ବ୍ୟତୀତ ଟିଆରଏପ, ଟ୍ରେଂଟ, ବନାରସ ହୋଟେଲ୍‌, ଟାଟା ଇନଭେଷ୍ଟମେଂଟ କର୍ପୋରେସନ, ଟାଟା ମୋଟର୍ସ, ଅଟୋ ମୋବାଇଲ୍ସ କର୍ପୋରେସନ ଅଫ ଗୋଆ ଓ ଅଷ୍ଟନ ଇଞ୍ଜିନିୟରିଂ ନିବେଶକଙ୍କ ପଇସାକୁ ଗୋଟିଏ ବର୍ଷରେ ଦୁଇ ଗୁଣା କରିଛି ।

ସଂପ୍ରତି ଟାଟା ଗ୍ରୁପର ଅତି କମରେ ୨୫ କମ୍ପାନୀ ସେୟାର ମାର୍କେଟରେ ତାଲିକାଭୁକ୍ତ ରହିଛି । ମାତ୍ର ସେଥିରୁ ଗୋଟିଏ ଟାଟା କେମିକାଲର ରିଟର୍ଣ୍ଣ ଗତ ବର୍ଷରେ ନେଗେଟିଭ୍ ରହିଛି । ତାହା ବି ୫ ପ୍ରତିଶତ । ଏଥିରୁ ଅନୁମାନ କରିପାରିବେ ଯେ, ଟାଟା ଗ୍ରୁପର କମ୍ପାନୀଗୁଡିକର ସେୟାର ବଜାରରେ କେମିତି ପ୍ରଦର୍ଶନ କରୁଛି ।