ନୂଆଦିଲ୍ଲୀ: ଚଣ୍ଡିଗଡ ନଗର ନିଗମର ମେୟର ନିର୍ବାଚନରେ ଜାଲିଆତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ମାମଲାରେ ଆଜି ପୁଣି ଥରେ ଅଦାଲତ ବସିବ ଏବଂ ବାଲାଟ ପେପର ଯାଂଚ କରାଯିବ । ଆଉ ନିଷ୍ପତି ନିଆଯିବ ଯେ, ପୁରୁଣା ବାଲାଟ ପେପର ଆଧାରରେ ମେୟର ଚୟନ କରାଯିବ ନା ପୁଣି ଥରେ ନିର୍ବାଚନ ହେବ । ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମେୟର ନିର୍ବାଚନର ଅଧିକାରୀ ଥିବା ଅନିଲ ମସିହଙ୍କୁ କଡା ତାଗିଦ କରିଛନ୍ତି। କୋର୍ଟ କହିଛନ୍ତି ଅଫିସରଙ୍କ ଆବଭାବ ଓ କଥାରୁ ଜଣା ପଡୁଛି ନିର୍ବାଚନରେ ସେ ଗଡବଡି କରିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ ମାମଲା ଚାଲିବ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଖୋଦ୍ ଅନିଲ ମସିହଙ୍କୁ କଡା ପ୍ରଶ୍ନ କରିଥିଲେ, ଆଉ ଏହାର ଜବାବ ଦେଇ ପାରି ନାହାନ୍ତି ଅଫିସର । ପ୍ରଧାନ ବିଚାରପତି କହିଛନ୍ତି, ମିଷ୍ଟର ମସିହ ଆମେ ଆପଣଙ୍କ ଭିଡିଓ ଦେଖିଛୁ । ଆପଣ କ୍ୟାମେରା ଆଡକୁ ଚାହୁଁଥିଲେ ଏବଂ ବାଲାଟ ପେପରରେ କ୍ରସ ଚିହ୍ନ ମାରୁଥିଲେ । ଆପଣ ଏହି ଚିହ୍ନ କାହିଁକି ମାରିଲେ ? ମସିହ ଉତର ଦେଇଥିଲେ ଯେ, ମୁଁ ବାଲାଟ ପେପରରେ କ୍ରସ ଚିହ୍ନ ଏଥିପାଇଁ ପକାଇଲି କାରଣ ସେଥିରେ ଗଡବଡି କରାଯାଇଥିଲା ।
ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଯେ, ଆପଣ ସେହି ବାଲାଟ୍ ପେପରକୁ କାହିଁକି ଗଡବଡ କଲେ ? ଆପଣଙ୍କୁ ତ କେବଳ ଦସ୍ତଖତ କରିବାର ଥିଲା । ଏହା ଉପରେ ଅଧିକାରୀ ଅନିଲ ମସିହ ସନ୍ତୋଷ ଜନକ ଉତର ଦେଇ ପାରି ନ ଥିଲେ । ଆଉ ପ୍ରଧାନ ବିଚାରପତି ଅଧିକାରୀଙ୍କ ବିରୋଧରେ ମାମଲା ଚାଲିବା ଉଚିତ୍ ବୋଲି କହିଛନ୍ତି । ଅଧିକାରୀ ମହୋଦୟ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛନ୍ତି । ଅଦାଲତ ବାଲାଟ ପେପର୍ସ ମଗାଇଛନ୍ତି ଏବଂ ଏହାର ଯାଂଚ ପରେ ଆଗାମୀ ନିର୍ଣ୍ଣୟ ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।