ସମ୍ମାନ ରଖିଲେ ଧ୍ରୁବ ଜୁରେଲ, ଇଂଲଣ୍ଡକୁ ପ୍ରଥମ ଇନିଂସରେ ମିଳିଲା ୪୬ ରନର ଅଗ୍ରଣୀ


ରାଂଚି: ସମ୍ମାନ ରଖିଲେ ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ ।ଏଠାରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ଧ୍ରୁବ ଜୁରେଲଙ୍କ ସ୍ମରଣୀୟ ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୩୦୭ ରନ କରି ଅଲଆଉଟ୍ ହୋଇଛି । ଏକଦା ୧୭୭ ରନରେ ୭ ୱିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ଥିବା ଭାରତ ଜୁରେଲଙ୍କ ୯୦ ରନ ବଳରେ ୩୦୭ ରନ କରି ପାରିଛି । ଫଳରେ ବଡ ଲିଡ୍ ଆଶା କରୁଥିବା ଇଂଲଣ୍ଡ ଭାରତଠୁ ୪୬ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୭୩ ରନ କରିଛନ୍ତି । ନିମ୍ନକ୍ରମରେ କୁଲଦୀପ ଯାଦବ ୨୮ ରନର ବହୁମୂଲ୍ୟ ଇନିଂସ ଖେଳିଛନ୍ତି । ଇଂଲଣ୍ଡ ପକ୍ଷରୁ ଶୋଏବ ବସିର ନିଜ ଟେଷ୍ଟ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୧୯ ରନ ଦେଇ ୫ଟି ସଫଳତା ହାସଲ କରିଛନ୍ତି । ଉଲ୍ଲେଖନୀୟ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ କରିଥିଲା ।

ଗତକାଲିର ଖେଳ ୨୧୯/୭ରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ଥିଲେ ଧ୍ରୁବ ଜୁରେଲ(୩୦) ଓ କୁଲଦୀପ ଯାଦବ(୧୭) । ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଦଳର ସ୍କୋରକୁ ଆଗେଇ ନେଇଥିଲେ । ଅଷ୍ଟମ ୱିକେଟ୍ ପାଇଁ ୭୬ ରନ ଯୋଡିଥିଲେ । କୁଲଦୀପ ଯାଦବ ୨୮ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ଅନ୍ୟପଟେ ଧ୍ରୁବ ଜୁରେଲ ଆଜି ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଆକାଶ ଦୀପଙ୍କୁ ଧରି ନବମ ୱିକେଟ୍ ପାଇଁ ୪୦ ରନ ଯୋଡିଥିଲେ । ଆକାଶ ଦୀପ ୯ ରନ କରି ପାଭିଲିୟନ ଫେରିଥିଲେ । ଜୁରେଲ ଦମଦାର ବ୍ୟାଟିଂ କରି ଶତକ ଆଡକୁ ଅଗ୍ରସର ହୋଇଥିଲେ । ତେବେ ଟମ୍ ହାର୍ଟଲୀଙ୍କ ବଲରେ ବୋଲ୍ଡ ହୋଇଥିଲେ ଜୁରେଲ । ଜୁରେଲ ୯୦ ରନର ଇନିଂସ ଖେଳି ଭାରତର ସ୍କୋରକୁ ୩୦୭ ରନରେ ପହଂଚାଇଥିଲେ । ତାଙ୍କ ଇନିଂସରେ ୬ ଚୌକା ଓ ୪ ଛକା ସାମିଲ୍ । ଭାରତୀୟ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୭୩ ରନର ଇନିଂସ ଖେଳିଥିଲେ ।

ଇଂଲଣ୍ଡ ପକ୍ଷରୁ ଶୋଏବ ବସିର ୧୧୯ ରନ ଦେଇ ୫ଟି ସଫଳତା ହାସଲ କରିଥିଲେ । ସେହିପରି ଟମ୍ ହାର୍ଟଲୀ ୩ଟି ଓ ଜେମ୍ସ ଆଣ୍ଡରସନ ୨ଟି ୱିକେଟ୍ ନେଇଥିଲେ । ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନରେ ଅଲଆଉଟ୍ ହୋଇଥିଲା ।