ଛଅ ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ, କହିଲେ – ଆନ୍ଦୋଳନ ଜାଣି ନ ଥିଲୁ ଏବେ ଜାଣିଲୁ

ଭୁବନେଶ୍ୱର: ଛଅ ଦଫା ଦାବି ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ । ଭୁବନେଶ୍ୱର ଲୋୟର ପିଏମଜିରେ ହଜାର ହଜାର ମତ୍ସ୍ୟଜୀବୀ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଂଚଳରୁ ୧୦ ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ।
ଡିଜେଲରେ ରିହାତି, ମୁହାଣଗୁଡିକରେ ନିୟମିତ ଡ୍ରେଜିଂ, ଶିଳ୍ପର ବିଷାକ୍ତ ଜଳ ସମୁଦ୍ରକୁ ନିଷ୍କାସନ ବନ୍ଦ କରିବା, ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ବିଭାଗ ଓ ତଟରକ୍ଷୀ ବାହିନୀର ଦୁର୍ବ୍ୟବହାର ବନ୍ଦ କରିବା, ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ ଆଦି ୬ ଦଫା ଦାବି ନେଇ ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି ମତ୍ସ୍ୟଜୀବୀ ।
ମତ୍ସ୍ୟଜୀବୀ କହିଛନ୍ତି, ଆମେ ମତ୍ସ୍ୟଜୀବୀ ପରିବାର ବହୁତ ଦୁଃଖରେ ଅଛୁ । ସମୁଦ୍ର ଓ ନଦୀ ନାଳରେ ଆମେ ମାଛ ମାରିବା ଲୋକ । ଆମ ଦାବି ପୂରଣ ନ ହେବାରୁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ । ସରକାର ଦାବି ନ ଶୁଣିଲେ ପରିବାର ସହ ଆସି ଆନ୍ଦୋଳନ କରିବୁ । ଆନ୍ଦୋଳନ କଣ କେବେ ଜାଣି ନ ଥିଲୁ । ଏବେ ଆସି ଆନ୍ଦୋଳନ କରୁଛୁ । ସରକାରଙ୍କୁ ଆମ ଦାବି ପୂରଣ କରିବା ଦରକାର ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।