ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ


କୋଲକାତା: ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର କୋଲକାତାରେ ହାୱଡା ମଇଦାନ ଓ ଏସପ୍ଲାନେଡ ମଧ୍ୟରେ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଦୁଇ ଷ୍ଟେସନ ମଧ୍ୟରେ ସୁଡଙ୍ଗର ମୋଟ୍ ଦୂରତା ହେଉଛି ୪.୮ କିଲୋମିଟର । ଏଥିରୁ ୧.୨ କିମି ସୁଡଙ୍ଗ ହୁଗୁଳି ନଦୀର ୩୦ ମିଟର ତଳେ ଯାଇଛି । ଏହା ଭାରତର କୌଣସି ବଡ ନଦୀ ତଳେ ପ୍ରଥମ ପରିବହନ ସୁଡଙ୍ଗ ।

ଏହି ସୁଡଙ୍ଗ ଇଷ୍ଟ ୱେଷ୍ଟ ମେଟ୍ରୋ କରିଡର ପ୍ରକଳ୍ପର ଏକ ଅଂଶ । ଯାତ୍ରୀମାନେ ହୁଗୁଳି ନଦୀ ପାର କରିବା ସମୟରେ ଟନେଲ ଭିତରେ ଜଳରାଶିର ମଜା ନେଇ ପାରିବେ । ୨୦୦୮ରେ ୟୁପିଏ ସରକାର ସମୟରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଥିଲା । ୨୦୦୯ରେ ଏହାର ମୂଳଦୁଆ ପଡିଥିଲା । ଏହି ସୁଡଙ୍ଗ ହୁଗୁଳୀ ନଦୀର ତଳେ ପଶ୍ଚିମବଙ୍ଗର ଐତିହାସିକ ସହର ହାୱଡା ଓ କୋଲକାତାକୁ ସଂଯୋଗ କରିବ । ଏହି ମେଟ୍ରୋରେ ଅଟୋମେଟିକ ଟ୍ରେନ ଅପରେସନ ସିଷ୍ଟମ ଲାଗିଛି । ମୋଟରମ୍ୟାନ ବଟନ ଦବାଇବା ମାତ୍ରେ ଟ୍ରେନ ସ୍ୱତଃପ୍ରବୃତ ଭାବେ ପରବର୍ତୀ ଷ୍ଟେସନକୁ ଯାତ୍ରା କରିବ ।

ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟ୍ରେନର ବିଶେଷତ୍ୱ

ହୁଗୁଳି ନଦୀର ୩୨ ମିଟର ତଳେ ଚାଲିବ ଅଣ୍ଡରୱାଟର ମେଟ୍ରୋ ।
୫୨୦ ମିଟରର ଦୂରତା ୪୫ ସେକେଣ୍ଡରେ ଅତିକ୍ରମ କରିବ ମେଟ୍ରୋ
ମୋଟ୍ ୧୬.୫ କିମି ଲମ୍ବା ଏହି ମେଟ୍ରୋ ଲାଇନର ୧୦.୮ କିମି ଅଂଶ ଭୂମିଗତ ।
୨୦୦୯ରେ ଇଷ୍ଟ ୱେଷ୍ଟ ମେଟ୍ରୋ କରିଡର ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା ।
୨୦୧୭ରେ ଆରମ୍ଭ ହେଲା ହୁଗୁଳି ନଦୀ ତଳେ ସୁଡଙ୍ଗର କାମ ।