Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଧନୁଯାତ୍ରା:କଂସ ନିଧନ,ଉଗ୍ରସେନଙ୍କ ରାଜ୍ୟାଭିଷେକ

ଗୋପପୁର/ମଥୁରାନଗରୀ,ତା.୧୦.୦୩:କଂସ ନିଧନ ସମ୍ବଲପୁରରେ ଆରମ୍ଭ ହୋଇଥିବା ପ୍ରଥମ ସମ୍ବଲପୁରୀ ଧନୁଯାତ୍ରା ଆଜି ଶେଷ ହୋଇଛି। ଦୀର୍ଘ ୫ ଦିନର କଂସ ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ। ନିରବୀ ଯାଇଛି ରଙ୍ଗମହଲ ଓ ରାଜଦରବାର। ଅପସରି ଯାଇଛି ନାଟ୍ୟାଭିନୟ। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି।
ଧନୁଯାତ୍ରାର ଶେଷ ଦିବସର ନାଟ୍ୟାଭିନୟ କ୍ରମରେ କୃଷ୍ଣ-ବଳରାମଙ୍କ ମଥୁରା ଭ୍ରମଣ କରିଛନ୍ତି। ଏଥିପାଇଁ ଗୋପପୁର (ଚାଉଁରପୁର)ରୁ ମଥୁରାନଗରୀ (ସମ୍ବଲପୁର) ପର୍ଯ୍ୟନ୍ତ କୃଷ୍ଣ ବଳରାମଙ୍କୁ ଉଜ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଗୁପ୍ତଚରଙ୍କଠାରୁ ଜାଣି ମହାରାଜ ପୁଣି ସେହି ଦୈବବାଣୀକୁ ମନେ ପକାଇଥିଲେ। ଅସ୍ଥିର, ବିଚଳିତ ହୋଇ ଉଠିଥିଲେ ମହାରାଜ କଂସ। ମାତ୍ର ତାଙ୍କୁ ଆଶ୍ୱାସନା ଦେବା ପାଇଁ ମହାମନ୍ତ୍ରୀ ଶକ୍ରାଜିତ, ସେନାପତି ହଂସଧ୍ୱଜ, ଚାଣୁର ମୁଷ୍ଟିକ ଏବଂ ମଲ୍ଲବୀର ନିଜ ନିଜ ବଳ ପରାକ୍ରମ ବଖାଣିଥିଲେ। ମହାରାଜଙ୍କ ଆଦେଶ ପାଇବା ମାତ୍ରେ କୃଷ୍ଣ-ବଳରାମଙ୍କୁ ବଧ କରିବେ ବୋଲି କହିଥିଲେ। ମହାରାଜ କଂସ ଏହି ଆଶ୍ୱାସନା ବାଣୀ ଶୁଣି ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ। ମନର ଦ୍ୱନ୍ଦ୍ୱକୁ ପାସୋରିବା ପାଇଁ ପୁଣି ସୁରାପାନ କଲେ। ନୃତ୍ୟଗୀତର ଆସରରେ ମସଗୁଲ ରହିଥିଲେ।
ଏହା ପୁର୍ବରୁ ଗୋପପୁରରେ ମହାରାଜ କଂସଙ୍କ ନିର୍ଦ୍ଦେଶରେ ଅକ୍ରୁର କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦର୍ଶନ କରାଇବା ଏବଂ ଧନୁଯାତ୍ରା ଦେଖାଇବା ଆଳରେ ମଥୁରାପୁରକୁ ଘେନି ଆସିଥିଲେ। ଏହି ସମୟରେ ଗୋପପୁର ବାସୀ ଓ ଯଶୋଦା ନନ୍ଦ ରାଜା ସହ ଗୋପୀ ମାନଙ୍କ ବିଦାୟ ଦୃଶ୍ୟ ହୃଦୟ ବିଦାରକ ଥିଲା। ଏହି ବିଦାୟ ଦୃଶ୍ୟ ସବୁରି ଆଖିରୁ ଲୁହ ଝରାଇଦେଇଥିଲା। ପରିବେଶ ଖୁବ ନିରୋଲା କ୍ରନ୍ଦନମୟରେ ଗୋପପୁର ସ୍ତବ୍ଧ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଭାପତି ଆଦିତ୍ୟ ପ୍ରସାଦ ନାୟକ ଓ ସାଧାରଣ ସଂପାଦକ ଗଣେଷ ମହତ୍ତମଙ୍କ ସହିତ ସମସ୍ତ ପରିଚାଳନା କମିଟି ପରିଚାଳନା କରିଥିଲେ।
ଅକ୍ରୁରଙ୍କ ସହିତ କୃଷ୍ଣ ବଳରାମ ରଥ ରେ ମଥୁରାପୁରକୁ ଯିବା ସମୟର ଶୋଭା ଯାତ୍ରାରେ ପୁଟିଆପାଲି ର ଦୁଲଦୁଲି,ସେହ୍ନାପାଲିର ସମ୍ପ୍ରଦା ବ୍ରହ୍ମପୁରର ଶଙ୍ଖ ଓ ଚାଉଁରପୁରର ଘଣ୍ଟ ବାଦ୍ୟ ଏକ ବିରଳ ଦୃଶ୍ୟ ଥିଲା।ଏହି ଶୋଭାଯାତ୍ରା ଗୋପପୁରରୁ ବାହାରି ଡୁଙ୍ଗୁରିପଡ଼ା. ଯାମପାଲି,ନୂଆଝାଙ୍କରପାଲି,ପେଟ୍ରୋଲ ପମ୍ପ ଛକ ହୋଇ ମଥୁରାପୁର ଅଭିମୁଖେ ବାହାରିଥିଲା।
ଆଜି ମହାରାଜ କଂସଙ୍କ ଦରବାରରେ ରାଜ ଅତିଥି ଭାବେ ସମ୍ବଲପୁରର ବରିଷ୍ଠ ବୁଦ୍ଧିଜୀବୀ ଅରବିନ୍ଦ ମହାପାତ୍ର ରାଜଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ବରୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି ଏହି ସମ୍ବଲପୁରୀ ଧନୁଯାତ୍ରାର ଅପୂର୍ବ ସଫଳତା ସମାଜ ପାଇଁ ଏକ ନୂଆବାର୍ତ୍ତା ବୋଲି ଅଭିହିତ କରିଥିଲେ।ଆୟୋଜିତ ସଭାକୁ କମିଟି ସଭାପତି ସଞ୍ଜୟ ବାବୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଫୁଲ୍ଲ କୁମାର ହୋତା,ସାଧାରଣ ସଂପାଦକ ଗୁଣ ରଞ୍ଜନ ସାଲିମା,କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଲ ଓ ରାମଦାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ମଥୁରାପୁର ରଙ୍ଗସଭା ଓ ରାଜଦରବାର ଆରମ୍ଭ ପୁର୍ବରୁ କୃଷ୍ଣ ବାଗଙ୍କ କହର ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଡା.ରାଜାରାମ ଷଡଙ୍ଗୀ,ତର୍ପଣ ପ୍ରଧାନ ଓ ଲଲିତ ମୋହନ ବେବର୍ତ୍ତା ସଂଯୋଜନା କରିଥିଲେ। ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ସମ୍ବଲପୁରୀ ଧନୁଯାତ୍ରା ନାଟକର ଲେଖକ ଓ ନିର୍ଦ୍ଦେଶକ ବବଲୁ ବାଗ ଦ୍ୱାରା ଆଦୃତ ଏହି ଯାତ୍ରାର ସଫଳତାକୁ ନେଇ ସବୁ ମହଳରେ ପ୍ରଶଂସା କରାଯାଇଛି।ଧନୁଯାତ୍ରା ଅନ୍ତିମ ଦିବସର କୃଷ୍ଣ ବଳରାମଙ୍କ ବିଧାୟ,କୃଷ୍ଣଙ୍କ ଦ୍ୱାରା କଂସ ନିଧନ ପ୍ରଭୃତି ନାଟ୍ୟ ଅଭିନୟ ଖୁବ ଚିତ୍ତାକର୍ଷକ ଓ ହୃଦୟ ବିଦାରକ ହୋଇଥିଲା ଏହି ଅବସର ରେ ସମ୍ବଲପୁର କଳାପରିଷଦ ଓ ବିଭିନ୍ନ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ କମିଟି ପକ୍ଷରୁ ମହାରାଜ କଂସ ସମ୍ବର୍ଦ୍ଧିତ କରିଥିଲେ। କଂସ ନିଧନ ପରେ ଆତସବାସୀ ଖୁବ ଆକର୍ଷଣୀୟ ହୋଇଥିଲା। କଂସ ନିଧନ ପରେ ମିଷ୍ଟାନ୍ନ ଦିଆଯାଇ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ