Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ରାଜ୍ୟ ସରକାରଙ୍କୁ ଝଟକା, ଓସେପାର ମେରିଟ୍ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟରୁ ଲାଗିଲା ଶକ୍ତ ଝଟକା । ଓସେପାର ମେରିଟ୍ ଲିଷ୍ଟକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ । ଏପରିକି ଜିଲ୍ଲାୱାରୀ ମେରିଟ୍ ଲିଷ୍ଟକୁ ମଧ୍ୟ ଖାରଜ କରିଛନ୍ତି । ଏଥିସହ ନିଯୁକ୍ତି ସର୍ତାବଳୀ ଅନୁଯାୟୀ, ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଓସେପା ପକ୍ଷରୁ ରାଜ୍ୟବ୍ୟାପୀ ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା । ଏହି ମାମଲା ହାଇକୋର୍ଟରେ ପହଂଚିଥିଲା । ପୁଣି ରାଜ୍ୟ ସରକାର ତରବରିଆ ଭାବେ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିଥିଲେ । ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ଅକ୍ଟୋବର ୨୩ ତାରିଖରେ ୨୦ ହଜାର ଜୁନିୟର ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆଶାୟୀଙ୍କୁ ଜିଲ୍ଲାୱାରୀ ନିଯୁ୍‌କ୍ତି ଦିଆଯିବ । କାରଣ ଏହା ଜିଲ୍ଲାଭିତିକ କ୍ୟାଡର ଥିଲା । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ସେହି ଜିଲ୍ଲାରେ ଆରମ୍ଭ ହୋଇ ସେହି ଜିଲ୍ଲାରେ ସରିବ । ତେଣୁ ଚୟନ ପ୍ରକ୍ରିୟା ଜିଲ୍ଲାୱାରୀ କରିବାର ଆବଶ୍ୟକତା ଥିଲା ବୋଲି ଆବେଦନକାରୀ ପତ୍ରରେ ଉଲ୍ଲେଖ କରିଥିଲେ ।

କିନ୍ତୁ ଓସେପା ନିୟମର ଉଲ୍ଲଂଘନ କରି ରାଜ୍ୟବ୍ୟାପୀ ମେରିଟ ଲିଷ୍ଟ ଜାରି କରିଥିଲା । ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ତ୍ୱରିତ ଶୁଣାଣି କରି ଗତ ଜାନୁଆରୀ ୧୯ ତାରିଖରେ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ମାମଲାର ଶୁଣାଣି ଜାନୁଆରୀ ୩୧ ତାରିଖରେ ସରିଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି ।