ମାତ୍ର ୧୧ ଦିନରେ ବିକ୍ରି ହୋଇଗଲା ୩୩୦୦ରୁ ଅଧିକ ନିର୍ବାଚନୀ ବଣ୍ଡ, ସୁପ୍ରିମକୋର୍ଟରେ ଏସବିଆଇର ସତ୍ୟପାଠ ଦାଖଲ


ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଧବାର ନିର୍ବାଚନୀ ବଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏଥିରେ ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କିଣା ଯାଇଥିବା ନିର୍ବାଚନୀ ବଣ୍ଡର ବିବରଣ ସାମିଲ । ଏସବିଆଇ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୧୯ ଏପ୍ରିଲ ୧ରୁ ଏପ୍ରିଲ ୧୧ ସୁଦ୍ଧା ମୋଟ୍ ୩୩୪୬ ବଣ୍ଡ କିଣା ଯାଇଛି । ଏଥିରୁ ୧୬୦୯ ବଣ୍ଡ ନଗଦ ଆକାରରେ ମିଳିଛି । ଅର୍ଥାତ ମାତ୍ର ୧୧ ଦିନରେ ୩୩୦୦ରୁ ଅଧିକ ନିର୍ବାଚନୀ ବଣ୍ଡ ରାଜନୈତିକ ପାର୍ଟି ମିଳିଛି ।

ଏସବିଆଇ ଦ୍ୱାରା ପ୍ରଦତ ସୂଚନା ଅନୁଯାୟୀ, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ସୁଦ୍ଧା ମୋଟ୍ ୧୮,୮୭୧ ନିର୍ବାଚନୀ ବଣ୍ଡ କିଣା ଯାଇଥିଲା । ଏହା ସହିତ ୨୦,୪୨୧ ବଣ୍ଡ କ୍ୟାସ୍ ଆକାରରେ ମିଳିଛି । ଏହା ପୂର୍ବରୁ ଏସବିଆଇ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ମଙ୍ଗଳବାର ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ସେହି ସଂଗଠନର ବିବରଣୀ ପ୍ରଦାନ କରିଛି, ଯାହାଙ୍କ ବଣ୍ଡ ରାଜନୈତିକ ପାର୍ଟିକୁ ମିଳିଛି । ସୁପ୍ରିମକୋର୍ଟ ସୋମବାର ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିକଟରେ ନିର୍ବାଚଣ୍ଡର ବିବରଣୀ ପ୍ରଦାନ କରିବାକୁ ଏସବିଆଇକୁ ଆଦେଶ ଦେଇଥିଲେ ।

ନିର୍ବାଚନ ଆୟୋଗ ମଧ୍ୟ ଜଣାଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ୨୦୨୪ ଫେବୃଆରୀ ୧୫ ଓ ମାର୍ଚ୍ଚ ୧୧ର ଆଦେଶକ୍ରମେ ଏସବିଆଇ ଦ୍ୱାରା ଆମକୁ ନିର୍ବାଚନୀ ବଣ୍ଡ ସଂପର୍କିତ ବିବରଣୀ ମିଳିଛି । ସୁପ୍ରିମକୋର୍ଟ ଆୟୋଗଙ୍କୁ ଏହି ଆଦେଶ ମଧ୍ୟ ଦେଇଛନ୍ତି ଯେ, ବ୍ୟାଙ୍କ ଦ୍ୱାରା ପ୍ରଦତ ତଥ୍ୟକୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନିଜର ୱେବସାଇଟରେ ପ୍ରକାଶିତ କରିବାକୁ ପଡିବ ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଏକ ଐତିହାସିକ ରାୟ ଶୁଣାଇ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଏହା ସହିତ ନିର୍ବାଚନ ଆୟୋଗଙ୍କୁ ଦାନଦାତାଙ୍କ ଦ୍ୱାରା ଦାନ କରାଯାଇଥିବା ଅର୍ଥ ରାଶିର ଖୁଲାସା କରିବାକୁ ଆଦେଶ ଦେଇଥିଲେ ।