ଜମନକିରା : ନିଖିଳ ଓଡିଶା ୱାର୍ଡ ସଭ୍ୟ ସଂଘ, କୁଚିଣ୍ଡା ଉପଖଣ୍ଡ ଶାଖା ପକ୍ଷରୁ ଏହାର ଉପଦେଷ୍ଟା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ସାଧାରଣ ସଂପାଦିକା ଧନମତି ରୋହିଦାସଙ୍କ ନେତୃତ୍ୱରେ ଆଜି କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦିବା ୧୦ଟା ରୁ ଗଣ ଧାରଣା ଦେବା ସହ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଏକ ଶୋଭାଯାତ୍ରାରେ ଆସି ଗଣ ଧାରଣା ଦେବା ପରେ ଅପରାହ୍ନ ସମୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ନିକଟକୁ ଦୁଇ ଗୋଟି ପାଞ୍ଚ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବୀ ପତ୍ରରେ ପଂଚାୟତରାଜ ଅନୁଷ୍ଠାନର ଅନ୍ୟମାନଙ୍କ ଭତ୍ତା ବୃଦ୍ଧି ଅନୁପାତରେ ତୃଣ ମୂଳର ଲୋକ ପ୍ରତିନିଧି ୱାର୍ଡ ସଭ୍ୟ ମାନଙ୍କୁ ବିଭିନ୍ନ ଯୋଜନାରେ ଉପଯୁକ୍ତ ଭାବରେ ସାମିଲ କରୁ ନଥିବା ତଥା ଭତ୍ତା ବୃଦ୍ଧି ଦିଗରେ ଉପଯୁକ୍ତ ଦୃଷ୍ଟି ଦେଇ ନଥିବାରୁ କ୍ଷୋଭ ପ୍ରକାଶ କରି ପୂର୍ବରୁ ଦିଆଯାଇଥିବା ୫ଗୋଟି ଦାବିକୁ ପୁନଃ ଉପସ୍ଥାପିତ କରିଛନ୍ତି। ଦାବୀପତ୍ରରେ ମାସିକ ଭତ୍ତା ପାଞ୍ଚ ହଜାର କରିବା, ପଂଚାୟତ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟଙ୍କ ପାଇଁ ଗୋଟିଏ କୋଠରୀ ଯୋଗାଇ ଦେବା, ହିତାଧିକାରୀଙ୍କ ସଦୃଶ୍ୟ ସମସ୍ତ ୱାର୍ଡ ସଭ୍ୟାଙ୍କ ନିଜ ଗାଁ ରେ ବାସଗୃହ ଯୋଗାଇ ଦେବା, ଗ୍ରାମ ସଭା ଓ ପଲ୍ଲିସଭା ର ନିଷ୍ପତ୍ତି କୁ କାର୍ଯ୍ୟକାରୀ କରାଇବା ଏବଂ ରାଜ୍ୟ ଵ୍ୟାପୀ ଏକ ଡ୍ରେସ କୋର୍ଡ ଲାଗୁ କରିବା ପାଇଁ ଦାବୀ କରାଯାଇଛି। ଦାବୀ ପୂରଣ ନହେଲେ ପ୍ରତ୍ୟେକ ପଂଚାୟତ ସ୍ତରରେ ଗଣ ଧାରଣା ଓ ଭୁବନେଶ୍ୱରରେ ମଧ୍ୟ ଧାରଣା ଦିଆଯିବ ବୋଲି ଉପଦେଷ୍ଟା ଶ୍ରୀ ନାୟକ ସୂଚନା ଦେଇଛନ୍ତି।ସମଗ୍ର କାର୍ଯ୍ୟକ୍ରମ କୁ କନକ ନାଏକ, ଲଳିନ୍ଦ୍ର ଅଢା, ଗୀତା କାହାଳି, ଧନମତି ରୋହିଦାସ, ରଂଜିତ କିସାନ, ରାଜେଶ ଓମ, ସୂର୍ଯ୍ୟ କିସାନ, ସୁଦର୍ଶନୀ ତଣ୍ଡିଆ, ପୁଷ୍ପାଞ୍ଜଳି ଧୂରୁଆ, ଶାନ୍ତିଲତା ନାଏକ ପ୍ରମୁଖ ପରିଚାଳନା କରିଥିଲେ। ଧାରଣା ପ୍ରାରମ୍ଭରେ ବାମରା ବ୍ଲକର ପୂର୍ବ ଅଧ୍ୟାକ୍ଷା ମୁନୁ ମିଶ୍ର ଧାରଣା ସ୍ଥଳକୁ ଆସି ଦାବୀ ପ୍ରତି ସମର୍ଥନ ଜ୍ଞାପନ କରିଥିବା ବେଳେ ଦାବିପତ୍ର ପ୍ରଦାନ ବେଳେ ଭାଜପାର ରାଜ୍ୟ ଉପ ସଭାପତି ତଥା ପୂର୍ବ ବିଧାୟକ ରବି ନାରାୟଣ ନାଏକ ଆସି ତାଙ୍କ ଦଳ ର ଦାବୀ ପ୍ରତି ସମର୍ଥନ ରହିଛି ବୋଲି ଘୋଷଣା କରିଥିଲେ।