ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଖାତା ଦେଖାରେ ନିୟୋଜିତ ୧୬ ହଜାର ଶିକ୍ଷକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ସରିବା ପରେ ଖାତା ଦେଖା ଆରମ୍ଭ ହୋଇ ଯାଇଛି । ମାଟ୍ରିକ ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ଶନିବାର ପ୍ରେସମିଟ୍ କରାଯାଇଛି । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ବୋର୍ଡ ସଭାପତି । ମାର୍ଚ୍ଚ ୧୪ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଛି ଏବଂ ୨୮ ତାରିଖ ସୁଦ୍ଧା ସରିବ । ରେଜଲ୍ଟ ପ୍ରକାଶ ପାଇବାର ୭ ଦିନ ଭିତରେ ଡିଜିଟାଲ୍ ସାର୍ଟିଫିକେଟ୍ ମିଳିବ । ୧୬ ହଜାର ଶିକ୍ଷକ ଖାତା ଦେଖାରେ ନିୟୋଜିତ ଅଛନ୍ତି । ନିର୍ବାଚନ ପାଇଁ କିଛି ସମସ୍ୟା ରହୁଛି, କିନ୍ତୁ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସଭାପତି କହିଛନ୍ତି ।
ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ପ୍ରତିଦିନ ଶିକ୍ଷକମାନଙ୍କର ନିର୍ବାଚନ ଡ୍ୟୁଟି ପଡ଼ୁଛି। ତେଣୁ ପ୍ରତି ୟୁନିଟରୁ ଶିକ୍ଷକଙ୍କ ସଂଖ୍ୟା କମିଯାଉଛି। ଶିକ୍ଷକମାନେ ନିର୍ବାଚନ କାମ ସାରି ପରଦିନ ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି। ୧୦ରୁ କମ୍ ଶିକ୍ଷକ ଥିଲେ ବି ଖାତଦେଖା କେବେ ବନ୍ଦ ହେବନି।
ସୂଚନାଯୋଗ୍ୟ, ଫେବୃଆରୀ ୨୦ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଏବଂ ମାର୍ଚ୍ଚ ୪ରେ ସରିଥିଲା । ମୋଟ୍ ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଫେବୃଆରୀ ୨୦ ରେ ସାହିତ୍ୟ, ୨୩ରେ ଇଂରାଜୀ, ଫେବୃଆରୀ ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତି ପରୀକ୍ଷା ଆୟୋଜିତ ହେବ। ସେହିପରି ମାର୍ଚ୍ଚ ୨ରେ ବିଜ୍ଞାନ, ମାର୍ଚ୍ଚ ୪ ରେ ଶେଷ ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ହୋଇଥିଲା । ଆଉ ମାର୍ଚ୍ଚ ୧୫ରୁ ଖାତା ଦେଖା ଆରମ୍ଭ ହୋଇ ଯାଇଛି ।