ସବୁ କିଛି ଜଣାଇବାକୁ ପଡିବ, ଲୁଚାଇ ପାରିବେ ନାହିଁ; ଇଲେକ୍ଟୋରାଲ ବଣ୍ଡ ଉପରେ ଏସବିଆଇକୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ୍


ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାକୁ ନେଇ ପୁଣି ଥରେ ଏସବିଆଇକୁ କଡା ଶବ୍ଦରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୋମବାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏସବିଆଇକୁ କହିଛନ୍ତି ଯେ, କୌଣସି ସୂଚନା ଲୁଚାଇ ପାରିବ ନାହିଁ । ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟକୁ ସାର୍ବଜନୀନ କରିବାକୁ ପଡିବ । ଏହା ପୂର୍ବରୁ ସୁପ୍ରିମକୋର୍ଟ ବଣ୍ଡର ୟୁନିକ ନମ୍ବର ଦେବା ପାଇଁ ଏସବିଆଇକୁ ସୋମବାର ସୁଦ୍ଧା ସମୟ ଦେଇଥିଲେ ।

କୋର୍ଟ ଆଜି ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ଇଲେକ୍ଟୋରାଲ ବଣ୍ଡର ସୂଚନା ଦେଲ ତେବେ କାହିଁକି ୟୁନିକ ନମ୍ବର ଦେଲ ନାହିଁ ? ସିଜେଆଇ ତାଗିଦ କରି କାହିଁକି ଏ ପର୍ଯ୍ୟନ୍ତ ପୁରା ସୂଚନା ଦିଆଯାଇ ନାହିଁ ବୋଲି ଏସବିଆଇକୁ ପ୍ରଶ୍ନ କରିଛନ୍ତି । ନିଷ୍ପତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ଇଲେକ୍ଟୋରାଲ ବଣ୍ଡ ସଂପର୍କିତ ସମସ୍ତ ସୂଚନା ଦେବାକୁ ପଡିବ । ଏଥିରେ ସିଲେକ୍ଟିଭ ହେବାର କୌଣସି ଅବକାଶ ନ ଥିଲା । ଯେ କୌଣସି ସ୍ଥିତିରେ ବି ଏସବିଆଇକୁ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ପଡିବ ବୋଲି ସିଜେଆଇ କହିଛନ୍ତି । ଏସବିଆଇ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଉପସ୍ଥିତ ଥିଲେ । ସେ କହିଛନ୍ତି ଆଉ କିଛି ସମୟ ଦିଅନ୍ତୁ ଯଦ୍ୱାରା ଆଦେଶକୁ ଠିକ୍ ଭାବେ ବୁଝା ଯାଇ ପାରିବ ।

ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଆପଣେଇ କହିଛନ୍ତି, ଏସବିଆଇ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରି ଏହା ଦର୍ଶାଇବାକୁ ପଡିବ ଯେ, ତା ପାଖରେ ଉପଲବ୍ଧ ଆଉ କୌଣସି ସୂଚନା ଲୁଚା ଯାଇ ନାହିଁ । ଏହା ବ୍ୟତୀତ ନିର୍ବାଚନୀ ବଣ୍ଡସ ସଂପର୍କିତ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ତୁରନ୍ତ ଦିଆଯାଉ ଯଦ୍ୱାରା ୱେବସାଇଡରେ ଅପଲୋଡ୍ କରାଯାଇ ପାରିବ । କୋର୍ଟ କହିଛନ୍ତି ଏସବିଆଇକୁ ଯେ କୌଣସି ପରିସ୍ଥିତିରେ ବି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୂଚନା ଦେବାକୁ ପଡିବ । ପ୍ରତିଟି ଜିନିଷ ପାଇଁ ଆମ ଆଦେଶ ଉପରେ ନିର୍ଭର ରହିବା ଠିକ୍ ନୁହେଁ ବୋଲି ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି ।