ନୂଆଦିଲ୍ଲୀ: ମାଗାସେସେ ପୁରସ୍କାର ବିଜେତା ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକ ଗତ ୧୩ ଦିନ ଧରି ଆମରଣ ଅନଶନରେ ବସି ଆନ୍ଦୋଳନ ଚଳାଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ସେ ଦାବି କରିଛନ୍ତି । ଲଦାଖର ପରିବେଶ ଓ ସାଂସ୍କୃତିକକୁ ସୁରକ୍ଷା ଦେବା କେନ୍ଦ୍ର ସରକାରଙ୍କ ମୁଖ୍ୟ ଦାୟିତ୍ୱ ବୋଲି ସୋନମ କହିଛନ୍ତି । ଆମର ମୁଖ୍ୟ ଦୁଇଟି ଦାବି ରହିଛି । ପ୍ରଥମ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ଦ୍ୱିତୀୟ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରି ରାଜ୍ୟର ସଂରକ୍ଷଣ କରାଯାଉ ।
ଲଦାଖର ପରିବେଶ ଓ ଏହାର ଆଦିବାସୀ ସଂସ୍କୃତିର ରକ୍ଷା ପାଇଁ ଭାରତ ସରକାରଙ୍କୁ ତାଙ୍କର ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ବିଯୁକ୍ତ ୧୨ ଡିଗ୍ରୀ ସେଲସିୟସରେ ୨୫୦ ଜଣ ଲୋକ ଆମରଣ ଅନଶନରେ ବସିଛନ୍ତି । ଏହି ସରକାର ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କହି ଆସିଛନ୍ତି । ଯଦି ଭାରତ ଲଦାଖର ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ବଂଚିତ କରୁଛି ତେବେ ଏହାକୁ କେବଳ ଗଣତନ୍ତ୍ରର ସାବତ ମାଆ ବୋଲି କୁହାଯାଇ ପାରିବ । ଲଦାଖର ଇଞ୍ଜିନିୟର ତଥା ଶିକ୍ଷକ ୱାଙ୍ଗଚୁକ ସୋମବାର ଏକ୍ସରେ ପୋଷ୍ଟ କରି ଉପରୋକ୍ତ କଥା ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଜମ୍ମୁ-କାଶ୍ମୀରର ଉନ୍ନତି ପ୍ରତି ଧ୍ୟାନ ଦିଆଯାଉଛି । ମାତ୍ର ଲଦାଖ ପାଇଁ କିଛି କରାଯାଉନି । ଯେ ପର୍ଯ୍ୟନ୍ତ ସରକାର ଆମକୁ ଲିଖିତି ପ୍ରତିଶ୍ରୁତି ଦେଇ ନାହାନ୍ତି ଆମର ଆନ୍ଦୋଳନ ଜାରି ରହିବ। ସେ ଏହା ମଧ୍ୟ କହିଛନ୍ତି କଂଗ୍ରେସ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ କିଛି ହେଲା ନାହିଁ । ଆଉ ଏବେ ବିଜେପି ମଧ୍ୟ ନିଜର ପ୍ରତିଶ୍ରୁତି ପୂରଣ କରି ନାହିଁ । ଲଦାଖ ପ୍ରସଙ୍ଗ ତ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଇସ୍ତାହାରରେ ଥିଲା । ପ୍ରତିଶ୍ରୁତି ଦେଲେ ହେଲେ ଏ ପର୍ଯ୍ୟନ୍ତ ପୂରଣ କଲେ ନାହିଁ ।
BEGINNING OF DAY 13 OF MY #CLIMATEFAST
— Sonam Wangchuk (@Wangchuk66) March 18, 2024
250 people slept hungy in – 12 °C to remind the Indian Government of their promises to safegurad Ladakh's environment and tribal indigenous culture.
First of all many heartfelt thanks to all who participated in yesterday's protests in… pic.twitter.com/jU1vZmbCWP
ଲଦାଖରେ ଲୋକେ ବହୁତ କ୍ରୋଧିତ ଅଛନ୍ତି । ଆମର ଆନ୍ଦୋଳନ ଜାରି ରହିବ । ଲଦାଖ ଏକ ସମ୍ବେଦନଶୀଳ ସୀମା । ମାତ୍ର ଏହାକୁ ନେଇ କେନ୍ଦ୍ର ସରକାର ସେତେ ଗମ୍ଭୀର ଜଣା ପଡୁନାହାନ୍ତି । ଲଦାଖର ପ୍ରସଙ୍ଗକୁ ଦିଲ୍ଲୀ କିମ୍ବା ଲଖନଉରୁ ଆସିଥିବା ଲୋକ ବୁଝି ପାରିବେ ନାହିଁ । କେନ୍ଦ୍ର ସରକାର ୨୦୧୯ରେ ଲଦାଖବାସୀଙ୍କ ହୃଦୟ ଜିତିଥିଲେ, ମାତ୍ର ଏବେ ଲାଗୁଛି ଆକାଶରୁ ବଂଚାଇ ଆମକୁ ଖଜୁରୀ ଗଛରେ ଟାଙ୍ଗି ଦେଇଛନ୍ତି ବୋଲି ୱାଙ୍ଗଚୁକ୍ କହିଛନ୍ତି ।
ୱାଙ୍ଗଚୁକ କହିଛନ୍ତି, ଏହା ସ୍ପଷ୍ଟ ଯେ, ସରକାର ଆମର ନୁହେଁ ନିର୍ବାଚନକୁ ନେଇ ବେଶ ସମ୍ବେଦନଶୀଳ ଅଛନ୍ତି । ଆମେ ମାର୍ଚ୍ଚ ୨୪ରେ ପୁରା ଦେଶରେ ଅନଶନ କରିବାକୁ ଯାଉଛୁ । ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଆମ ସହ ଯୋଗ ଦେବେ । ସରକାରଙ୍କ ଆବଭାବ ଦେଖି ଲାଗୁଥିଲା ସେମାନେ ଦାବି ପୂରଣ କରିବେ ନାହିଁ । କିନ୍ତୁ ଆମେ ଅପେକ୍ଷା କରି ରହିଥିଲୁ । ଚାରି ବର୍ଷ ଧରି ଅଲଗା ଅଲଗା ବୈଠକରେ ଅନେକ ଥର ଆମର ପ୍ରସଙ୍ଗକୁ ନେଇ ଆଲୋନଚା ହୋଇଛି । ମାତ୍ର ମାର୍ଚ୍ଚ ୪ ତାରିଖରେ ସ୍ପଷ୍ଟ ଭାବେ ଆମ ଦାବିକୁ ଅଗ୍ରାହ୍ୟ କରାଗଲା । ତେଣୁ ଏବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ । ଆନ୍ଦୋଳନ କରିବା ଆମର ଅଧିକାର ବୋଲି ସୋନମ ୱାଙ୍ଗଚୁକ କହିଛନ୍ତି ।