Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଜୁରିଦର୍ହରେ ସମସ୍ୟାର ସମାଧାନ ନେଇ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଦେବଗଡ (ଖଜୁରିଦର୍ହ):କୈଶୋର ବୟସ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଓ ଏହି ସମୟର ନିଷ୍ପତ୍ତି ଆଗାମୀ ଭବିଷ୍ୟତ ପାଇଁ ମସ୍ତବଡ ଚ୍ୟାଲେଞ୍ଚ। ତେଣୁ କୈଶୋର ସ୍ୱାସ୍ଥ୍ୟ ପ୍ରତି ଯତ୍ନ,ଏହି ବୟସରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନେଇ ଦୁଇ ଦିନିଆଁ ଏକ ଦକ୍ଷତା ବୃଦ୍ଧି ଶିବିର ତିଲେଇବଣି ବ୍ଲକ୍ ର ଦୁଧିଆନାଲି ପଞ୍ଚାୟତର ଖଜୁରିଦର୍ହ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଡିର ସ୍ନେହା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋଗ୍ରାମ ଅଫିସର ପ୍ରଜ୍ଞା ତ୍ରୀପାଠି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ଆଲୋକ ପାତ କରିଥିଲେ।ଏହାପରେ ନିଜ ନିଜ ମଧ୍ୟରେ ପଚିଚୟ ପ୍ରଦାନ କରି ନିଜ ଭିତରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ପ୍ରଶିକ୍ଷିଣ ପାଇଁ ଆସିଥିବା କିଶୋର କିଶୋରୀ ମାନେ ନିଜ ନିଜର ଭାବ ପ୍ରକାଶ କରିଥିଲେ। ପିଲାଙ୍କ ଦ୍ୱାରା ଆଲୋଚିତ ବିଭିନ୍ନ ସମସ୍ୟାକୁ ନେଇ ତାଲିମଦାତା ଡା.ରାଜାରାମ ଷଡଙ୍ଗୀ ପିଲାଙ୍କ ସମସ୍ତ ଦିଗକୁ ନେଇ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ,ଦୃଢତା ଓ ଜୀବନ କୌଶଳ, ସୁସ୍ଥ ସ୍ୱାସ୍ଥ୍ୟ,ନିଷ୍ପତ୍ତି ନେବା, ଦୃଢ଼ମନା, ଯୋଗ୍ୟତା ସଂପନ୍ନ,ପରଷ୍ପର ମଧ୍ୟରେ ସାମ୍ନା କରିବା ପ୍ରଭୃତି ଉପରେ ସମସ୍ୟା ଓ ସମାଧାନ ନେଇ ବୁଝାଇଥିଲେ।ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାରେ ବିଚଳିତ, ଭୟଭୀତ,କ୍ରୋଧିତ ନହୋଇ କିଭଳି ଏହାର ସମାଧାନ କରାଯାଇ ପାରିବ ସେ ଦିଗରେ ବିଭିନ୍ନ ଉଦାହରଣ ଦେଇ ପିଲାଙ୍କ ସନ୍ଦେହ ଦୂର କରିବାକୁ ପ୍ରୟାସ କରିଥିଲେ।ସଚେତନତା ସଭାରେ ଢୋଲପଡା,କଂସର,ଦୁଧିଆନାଳୀ ପଞ୍ଚାୟତର ବହୁ କୈଶୋର ବୟସର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୨ ଦିନ ଧରି ଚାଲିବାକୁ ଥିବା ଏହି ଦକ୍ଷତା ବୃଦ୍ଧି ତାଲିମ ଶିବିରକୁ କ୍ଲଷ୍ଟର ସଂଯୋଜକ ଭାଗ୍ୟ ମନହିରା, କମ୍ୟୁନିଟି ମୋବିଲାଇଜର ବରୁଣ କଅଁର ଓ ଜୟ ପ୍ରକାଶ ମାଝୀ ପରିଚାଳନା କରିଥିଲେ।ଶିବିରରେ ଚାପର ନିୟନ୍ତ୍ରଣ, ପରିତ୍ୟାଗ, ଗ୍ରହଣ କରିବା,ବୁଝିବାକୁ ଚେଷ୍ଟା କରିବା,କୌଣସି କାମରେ ହସ୍ତକ୍ଷେପ ନକରିବା,ନପଚାରି କାହାରି ମଧ୍ୟ କୌଣସି ସାମଗ୍ରୀକୁ ନଛୁଇଁବା,ସନ୍ଦେହ ହେଲେ ପଚାରି ସତ ଜାଣିବାକୁ ଚେଷ୍ଟା କରିବା,କୁସଙ୍ଗ ଛାଡି ଭଲ ବନ୍ଧୁ ସହ ରହିବା,ପରଷ୍ପର ମଧ୍ୟରେ ସହଯୋଗର ହାତ ବଢ଼ାଇବା,ସମୟର ବିିନିଯୋଗ କରିବା ଓ ନିଜ କାମରେ ଅନ୍ୟ ଉପରେ ଆଶ୍ରିତ ନହୋଇ ନିଜେ କରିବା ଭଳି ବହୁ ହୀତକାଂକ୍ଷୀ ଓ ମହତ ଲକ୍ଷ୍ୟ ଉପରେ ମନୋନିବେଶ କରିବାକୁ ଏହି ଦକ୍ଷତା ଶିବିରରେ ବିଭିନ୍ନ କାହାଣୀ,ଘଟଣାକ୍ରମ ଓ ଉଦାହରଣ ମାଧ୍ୟମରେ ପିଲାଙ୍କୁ ଅତି ସରଳ ଓ ସାବଳିଳ ଭାଷାରେ ବୁଝା ଯାଇଥିଲା। ଏଭଳି ସମସ୍ୟା ଜନିତ ଦକ୍ଷତା ବୃଦ୍ଧି ଶିବିରକୁ ନେଇ ପିଲାଙ୍କ ମନରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ