ନୂଆଦିଲ୍ଲୀ: ଦେଶର ପାଖାପାଖି ୬୦୦ ନାମୀ ଓକିଲ ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନାମରେ ଚିଠି ଲେଖିଛନ୍ତି । ଏହି ଚିଠିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଏକ ବିଶେଷ ବର୍ଗ ନ୍ୟାୟପାଳିକା ଉପରେ ଚାପ ପକାଇବାକୁ ଚାହାନ୍ତି ଏବଂ ଏହାର ସାର୍ବଭୌମତ୍ୱ ଓ ଅଖଣ୍ଡତା ଉପରେ ଆକ୍ରମଣ କରାଯାଉଛି । ଏହି ଚିଠି ଲେଖିଥିବା ଓକିଲଙ୍କ ମଧ୍ୟରେ ହରିଶ ସାଲଭେ, ମନନ କୁମାର ମିଶ୍ର, ଅଦୀଶ ଅଗ୍ରୱାଲ, ଚେତନ ମିତଲ, ପିଙ୍କ ଆନନ୍ଦ, ହିତେଶ ଜୈନ, ଉଦୟ ହୋଲ୍ଲା ସାମିଲ । ଏହି ସବୁ ଓକିଲମାନେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଏକ ଖାସ୍ ଗ୍ରୁପ ଅଦାଲତ ଉପରେ ଚାପ ପକାଇ ଏହାର ସ୍ୱାଧୀନତାକୁ କମ କରିବାକୁ ଚେଷ୍ଟା କରୁଛନ୍ତି ।
ଓକିଲମାନଙ୍କ କହିବା କଥା ନିଷ୍ପତିକୁ ପ୍ରଭାବିତ କରିବା ପାଇଁ ଏହି ଗ୍ରୁପ ଚାପ ପକାଉଛନ୍ତି । ବିଶେଷ କରି ରାଜନୈତିକ ଲୋକଙ୍କ ସହ ଜଡିତ ମାମଲା ଓ ଦୁର୍ନୀତି କେସରେ ଏମିତି କରାଯାଉଛି । ଏମିତି ହେଲେ ଦେଶର ଗଣତନ୍ତ୍ର ଓ ନ୍ୟାୟିକ ପ୍ରକ୍ରିୟା ପ୍ରତି ଆଗକୁ ବିପଦ ସୃଷ୍ଟି ହେବ । ନ୍ୟାୟାଳୟର ଛବି ମଳିନ କରିବା ପାଇଁ ଗୁଜବ ପ୍ରଚାର କରାଯାଉଛି । ଏହି ବର୍ଗ ଚାହାନ୍ତି ଯେ, ବର୍ତମାନ ଚାଲିଥିବା ମାମଲା ଉପରେ ଅଦାଲତ ଧ୍ୟାନ ନ ଦେଉ ।
ଚିଠିରେ ଏହା ମଧ୍ୟ କୁହାଯାଇଛି, ନ୍ୟାୟାପାଳିକାକୁ ରାଜନୈତିକ ମାମଲାରେ ପ୍ରଭାବିତ କରିବାକୁ ଅହରହ ଉଦ୍ୟମ କରାଯାଉଛି । ଅଦାଲତ ବିଷୟରେ ଗୁଜବ ପ୍ରଚାର କରାଯାଇ ଜନତାଙ୍କ ମଧ୍ୟରେ ଭରସା କମ କରିବାକୁ ଉପପ୍ରୟାସ କରାଯାଉଛି । ଏହି ଚିଠିରେ ସେହି ଖାସ୍ ବର୍ଗ କିମ୍ବା ଓକିଲଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ । ମାତ୍ର କୁହାଯାଉଛି ଅରବିଜ କେଜରିୱାଲଙ୍କ ସଂପର୍କିତ ମାମଲାରେ ଅଭିଷେକ ମନୁ ସିଙ୍ଘଭିଙ୍କ ଦଲିଲକୁ ନେଇ ଏହି ଚିଠି ଲେଖା ଯାଇଛି ।
ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ଜଜଙ୍କ ଉପରେ ସିଧାସଳଖ ଆକ୍ରମଣ ହେଉଛି । ଏପରିକି ଅଦାଲତରେ ରାଜନୈତିକ ଏଜେଣ୍ଡାକୁ ବଢାଯାଉଛି । ଯେବେ କୌଣସି ନେତାଙ୍କୁ ଦୁର୍ନୀତି ମାମଲାରେ ବଂଚାଇବାକୁ ଯୁକ୍ତି ଦିଆଯାଉଛି, ଏହା ସିଧାସଳଖ ଅଦାଲତଙ୍କ ଉପରେ ପ୍ରଶ୍ନ ଉଠୁଛି । ଏହା ବ୍ୟତୀତ ନ୍ୟାୟିକ ପଦରେ ନିଯୁକ୍ତିକୁ ନେଇ ମଧ୍ୟ ଟିପ୍ପଣୀ କରାଯାଉଛି ।