ଲୁମୁରଜେନା ରେ ପାଞ୍ଚ ଶମ୍ଭୁ ଓ ବିଶାଳ ପାଲି ରେ ଚାରି ଶମ୍ଭୁ ମହାମିଳନ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଲୁମୁରଜେନା ଗ୍ରାମରେ ଷଷ୍ଠତମ ପଞ୍ଚଶମ୍ଭୁ ମହାମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୟୂରକଟା (ସାହାଜଲଥା) ର ସିଦ୍ଧେଶ୍ୱର ବାବା , ଯାଲୋଏର ଜମ୍ବେଶ୍ୱର ବାବା , ଜାମଗାଁର ଭୁବନେଶ୍ୱର ବାବା , ବଡମାଳର ସ୍ଵପ୍ନେଶ୍ୱର ବାବା ଓ ତିକୁଡ଼ାର ଗୋପେଶ୍ୱର ବାବାଙ୍କ ମଧ୍ୟରେ ଶମ୍ଭୁ ମାନଙ୍କ ଭେଟ ( ମିଳନ) ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବ ଅବସରରେ ଦିଅଁ ମାନଙ୍କୁ ବୀରମହାରାଜପୁର ମୁଖ୍ୟଛକ ଠାରୁ ଲୁମୁରଜେନା ଗ୍ରାମ ପର୍ଯ୍ୟନ୍ତ ଶୋଭାଯାତ୍ରା ସହକାରେ ନିଆଯାଇଥିଲା। ଦିଅଁମାନଙ୍କ ଶୋଭାଯାତ୍ରା ସମୟରେ ଢୋଲ , ନିଶାନ , ମହୁରୀ ଓ ଘଣ୍ଟ ଆଦି ପାରମ୍ପାରିକ ବାଦ୍ୟାରେ ମୁଖ୍ୟଛକ ପ୍ରକମ୍ପିତ ହୋଇଥିଲା। ଗ୍ରାମବାସୀ ସମସ୍ତଙ୍କର ମଙ୍ଗଳ କାମନା କରି ଦିଅଁମାନଙ୍କର ଏକତ୍ର ପୂଜାର୍ଚ୍ଚନା କରିଥିଲେ। ଦିନବେଳା ପାଣି ଦଣ୍ଡ , ଧୂଳି ଦଣ୍ଡ ସାଙ୍ଗକୁ ରାତିରେ ବିଭିନ୍ନ ଦଣ୍ଡ ସୁଆଙ୍ଗ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନଙ୍କ ସମାବେଶ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ ବିଧାୟକ ପଦ୍ମନାଭ ବେହେରା , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ଙ୍କ ସମେତ ଅନେକ ଜନ ପ୍ରତିନିଧି ପ୍ରମୁଖ ଯୋଗଦେଇ ସମସ୍ତ ମହାଦେବ ଓ ଦେବୀ ମାନଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମରେ ଲୁମୁରଜେନା ଗ୍ରାମ ବିଶିକେଷନ ରଥ , ପ୍ରକାଶ ମହାପାତ୍ର , ରମ୍ୟ ରଞ୍ଜନ ପଣ୍ଡା , ଗୋପିନାଥ ପଣ୍ଡା , ବାଳକ ପଣ୍ଡା , ରିଙ୍କୁ ପଣ୍ଡା , ଦିଲ୍ଲୀପ ମିଶ୍ର , ଆଲଦା କର୍ମୀ , ସୁଦାମ ପ୍ରଧାନ, ଶ୍ରୀମନ୍ତ କର , ରଞ୍ଜନ ପଣ୍ଡା , କୈଳାସ ପଣ୍ଡାଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ । ସେହିପରି ବ୍ଲକ ର ବହଳପଦର ପଞ୍ଚାୟତ ର ବିଶାଳପାଲି ଗ୍ରାମରେ ରବିବାର ପ୍ରଥମ ଥର ପାଇଁ ଚାରି ଶମ୍ଭୁ ଭେଟ ( ମିଳନ ) ମହୋତ୍ସବ ଅନଷ୍ଠିତ ହୋଇଯାଇଛି । ଏଥିରେ ଗୌଡ଼ଗାଡ ର ସପ୍ନେଶ୍ୱର ବାବା , କୁଞ୍ଜାପାଲି ର ଗୁପ୍ତେଶ୍ୱର ବାବା , ଚୌକା ଗ୍ରାମର ଭୁବନେଶ୍ୱର ବାବା ଓ କେଶଲଗା ର ଧବଳେଶ୍ଵର ବାବା ଆଦି ଶମ୍ଭୁ ଭେଟ ହୋଇଥିଲା। ସକାଳୁ ସବୁ ଦଣ୍ଡ ଦଳ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ଏଥିରେ ଢୋଲ , ନିଶାନ , ତାସା , ଘଣ୍ଟା ଆଦି ବାଦ୍ୟ ରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା । ହରିବୋଲ , ହୁଳହୁଳି ରେ ଏକ ଆଧ୍ୟାତ୍ମିକ ପରିବେଶ ଅନୁଭବ ହୋଇଥିଲା। ସମସ୍ତ ଦଣ୍ଡ ଦଳ ପାରମ୍ପରିକ ବେଶ ରେ ସଜେଇ ହୋଇ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବାହ୍ନ ରେ ସମସ୍ତ ଶମ୍ଭୁ ଏକତ୍ର କରି ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ଧୂଳି ଦଣ୍ଡ ସହିତ ରାତିରେ ଶୋଲ ସୁଆଙ୍ଗ ଆଦି ପରିବେଷଣ ହୋଇଥିଲା । ଏହା ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗ୍ରାମବାସୀ ଓ ଅଞ୍ଚଳର ଯୁବକ ମାନେ ସହଯୋଗ କରିଥିଲେ।