ରେଙ୍ଗାଳି ରେ ଅଭିଜ୍ଞ ଏବଂ ନବାଗତ ମଧ୍ୟରେ ତ୍ରିମୁଖି ଲଢେଇ


କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କଲା ପରେ କଳକାରଖାନା ଖଣି ଖାଦାନରେ ସମୃଦ୍ଧ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ଆସନରେ ଏଥର ଅଭିଜ୍ଞ ଏବଂ ନବାଗତ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଛି। ଦୀର୍ଘ ଦିନର କଳ୍ପନା ଜଳ୍ପନା ଓ ପ୍ରତୀକ୍ଷା ପରେ କଂଗ୍ରେସ ରେଙ୍ଗାଲି ଆସନ ପାଇଁ ଇଂ ଦିଲ୍ଲିପ ଦୁରିଆଙ୍କୁ ଟିକେଟ ଦେଇଛି।
ଶ୍ରୀ ଦୁରିଆ ମାର୍ଚ୍ଚ ୬ତାରିଖ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟରୁ ଇସ୍ତାଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ପୂର୍ବରୁ ବିଜେପି ବର୍ତ୍ତମାନ ବିଧାୟକ ନାଉରି ନାଏକଙ୍କୁ ପ୍ରାର୍ଥୀ ରୂପେ ଘୋଷାଣା କରିଥିବା ବେଳେ ବିଜେଡି ଧନକଉଡା ଜୋନ୍‌(୨) ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ହରିପାଲଙ୍କ ଟିକେଟ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛି।
ଏଥର ନିର୍ବାଚନରେ ଏହି ତିନି ପ୍ରମୁଖ ଦଳର ଅଭିଜ୍ଞ ଏବଂ ନବାଗତ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବା ନେଇ ରାଜନୈତିକ ବିଶାରଦମାନେ ଆକଳନ କରିଛନ୍ତି। ବିଜେପି ବିଧାୟକ ନାଉରି ନାଏକ ଏପର୍ଯ୍ୟନ୍ତ ୪ଥର ବିଧାନସଭା ନିର୍ବାଚନ ଲଢି ଥରେ ବିଜୟୀ ହୋଇଛନ୍ତି। ଶ୍ରୀ ନାଏକ ପ୍ରଥମେ ରେଢାଖୋଲ ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ଠିଆ ହୋଇ ପରାଜିତ ହେଲାପରେ ରେଙ୍ଗାଲି ନିର୍ବାଚନ ମଣ୍ଡଳିର ପ୍ରଥମ ନିର୍ବାଚନରେ ଦଳୀୟ ଟିକେଟ୍‌ ନପାଇ ସ୍ୱାଧିନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନ ରେ ଶ୍ରୀ ନାଏକ ବିଜେପି ଟିକେଟରେ ଲଢି ବିଜେଡି ପ୍ରାର୍ଥୀ ରମେଶ ପଟୁଆଙ୍କଠାରୁ ଅଳ୍ପ ଭୋଟ୍‌ ବ୍ୟବଧାନରେ ପୁଣି ପରାଜିତ ହୋଇଥିଲେ। କ୍ରମାଗତ ୩ଥର ପରାଜିତ ନାଉରି ନାଏକ ୨୦୧୯ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରି ବିଜେଡି ପ୍ରାର୍ଥୀ ରୀନା ତନ୍ତିଙ୍କୁ ପରାସ୍ତ କରି ଏବେ ବିଧାୟକ ଅଛନ୍ତି। ନାଉରି ନାଏକ ଭୋଟରଙ୍କ ପାଇଁ ଏକ ପରିଚିତ ନାମ ହୋଇସାରିଛି। ଶ୍ରୀ ନାଏକଙ୍କ ବିଧାନସଭା ନିର୍ବାଚନ ଲଢିବାର ୨୦ ବର୍ଷର ଅଭିଜ୍ଞତା ରହିଥିବା ବେଳେ ତାଙ୍କ ସହିତ ନିର୍ବାଚନ ମଇଦାନରେ ଲଢେଇ କରିବାକୁ ଅବତୀର୍ଣ୍ଣ ହୋଇଥିବା ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲ ଏବଂ କଂଗ୍ରେସ ପ୍ରାର୍ଥୀ ଇଂ ଦିଲ୍ଲିପ ଦୁରିଆଙ୍କ ସେମିତି ଅଭିଜ୍ଞତା ନାହିିଁ। ବିଧାନ ସଭା ନିର୍ବାଚନ ମଇଦାନରେ ଉଭୟେ ନୁଆଁ ଖେଳାଳି।
ଅବଶ୍ୟ ସୁଦର୍ଶନ ହରିପାଲ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ଅବତୀର୍ଣ ହୋଇ ଜିଲ୍ଲା ପରିଷଦ ସଭ୍ୟ ରୂପେ ନିର୍ବାଚିତ ହୋଇ ନିର୍ବାଚନ ଲଢିବାର ପ୍ରାକ୍‌ ଅଭିଜ୍ଞତା ହାସଲ କରି ସାରିଛନ୍ତି। କିନ୍ତୁ ଜଣେ ଭଲ ସଙ୍ଗଠକ ଭାବେ ଜଣାଶୁଣା କଂଗ୍ରେସ ପ୍ରାର୍ଥୀ ଇଂ ଦିଲ୍ଲିପ ଦୁରିଆ ନିର୍ବାଚନ ମଇଦାନରେ ପ୍ରଥମ ଥର ପାଇଁ ଓହ୍ଲାଇଛନ୍ତି। ସର୍ବୋପରି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ନବାଗତ। ୨୦ବର୍ଷର ନିର୍ବାଚନ ଳଢିବାର ଅଭିଜ୍ଞତା ଥିବା ନାଉରି ନାଏକଙ୍କ ସହିତ ଉଭୟ ନାବଗତଙ୍କ ଟକ୍କର ହେବ। ଅଭିଜ୍ଞ ବନାମ ନବାଗତ ଲଢେଇ ଖୁବ୍‌ ରୋଚକ ମୋଡ ନେବ ବୋଲି ବିଶ୍ଳେଷକ ମାନେ ଅନୁମାନ କରୁଛନ୍ତି। ୪୧ ଟି ପଞ୍ଚାୟତକୁ ନେଇ ଗଠିତ ରେଙ୍ଗାଲି ନିର୍ବାଚନ ମଣ୍ଡଳିର ଭୋଟର କାହାକୁ ଭୋଟ ଦେଇ ବିଜୟୀ କରିବେ ପରିକ୍ଷା ନିରୀକ୍ଷା ଓ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନ ମଣ୍ଡଳିରୁ ୩ଦଳ ଥରେ ଲେଖାଏଁ ନିର୍ବାଚନ ଜିତିଥିବାରୁ ଏଥର ଯେଉଁ ଦଳ ଜିତିବ ସେହି ଦଳ ୨ଥର ଜିତି ନୂତନ ରେକର୍ଡ କରିବ।