Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣିଗ୍ରାହୀ ଦମ୍ପତିଙ୍କ ବିବାହ ବାର୍ଷିକୀ ରେ ଅଧା ରହିଗଲା ଜଗା ଦର୍ଶନ

ବୀରମହାରାଜପୁର : (ସୌମିତ୍ରି ମେହେର) ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ ଛକ ନିକଟରେ ବୁଧବାର ସକାଳୁ ଟ୍ରକ୍‌ ଧକ୍କାରେ ମୃତ୍ୟୁ ହୋଇଥିବା ଦମ୍ପତି ଙ୍କର ପରିଚୟ ମିଳିଛି । ମୃତ ଦମ୍ପତି ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧୀନ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର ନିବାସୀ ତଥା ଅବସରପ୍ରାପ୍ତ ଉମେଶ ପାଣିଗ୍ରାହୀ (୬୬) ଓ ତାଙ୍କ ସ୍ତ୍ରୀ ନଳିନୀ ପାଣିଗ୍ରାହୀ (୬୨)।ଉଭୟ ସ୍ବାମୀ-ସ୍ତ୍ରୀ (ଉମେଶ ଓ ନଳିନୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ରୁହନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଜର ୩୯ତମ ବିବାହ ବାର୍ଷିକୀ ପାଳନ ପାଇଁ ଶ୍ରୀକ୍ଷେତ୍ର ବାହାରି ଥିଲେ। ସେଥିପାଇଁ ବୀରମହାରାଜପୁରରୁ ଏକ ଘରୋଇ ବସ୍‌ରେ ଚଢ଼ିଥିଲେ ଏବଂ ବୁଧବାର ଭୋର ସକାଳୁ ପଳାଶୁଣୀ ଛକରେ ପହଞ୍ଚି ଥିଲେ । ବସ୍‌ରୁ ଓହ୍ଲାଇବା ପରେ କଟକ ପାର୍ଶ୍ବରୁ ପୁରୀ ଅଭିମୁଖେ ଯାଉଥିବା କୌଣସି ବସ୍‌ରେ ଶ୍ରୀକ୍ଷେତ୍ର ଯିବା ପାଇଁ ଯୋଜନା କରିଥିଲେ । ସେଥିପାଇଁ ସେମାନେ ପଳାଶୁଣୀ ଛକ ନିକଟ ବସ୍‌ଷ୍ଟପ୍‌ରେ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ । ଏହି ସମୟରେ ଭୁବନେଶ୍ବର ପାର୍ଶ୍ବରୁ କଟକ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ପଳାଶୁଣୀରୁ ସତ୍ୟବିହାର ଯାଏଁ ଦମ୍ପତି ଙ୍କୁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଉମେଶ ଓ ନଳିନୀ ପାଣିଗ୍ରାହୀ ପ୍ରତିବର୍ଷ ଭଳି ଏଥର ମଧ୍ୟ ସେମାନଙ୍କର ବିବାହ ବାର୍ଷିକୀରେ କାଳିଆ ଦର୍ଶନ କରିବାକୁ ମନ କରିଥିଲେ । ତେବେ ଏଥର ଶ୍ରୀକ୍ଷେତ୍ରରେ ପହଞ୍ଚି କାଳିଆ ଦର୍ଶନ କରିବା ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଥିଲେ । ସଡ଼କ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ‌ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହ ଭୁବନେଶ୍ବରରୁ ବୀରମହାରାଜପୁର ପହଁଞ୍ଚିବା ପରେ ବନ୍ଧୁ ପରିଜନ ତାଙ୍କର ଶେଷ ଦର୍ଶନ କରୁଥିବା ବେଳେ ଘଟଣା କୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି I ଗୁରୁବାର ଗାଁ ମଶାଣି ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ