ଆଜି ଭୁବନେଶ୍ବରେ ମୋଦି, ପୁରୀରେ ରାଜନାଥ ଓ କଳାହାଣ୍ଡିରେ ଭୂପେନ୍ଦ୍ରଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋର ଧରିଛି । ବିଶେଷ କରି ତିନି ପ୍ରମୁଖ ରାଜେନୖତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଷ୍ଟାର କ୍ୟାମ୍ପେନରଙ୍କ ଘନ ଘନ ପ୍ରଚାର ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ବିଜେପିର ଷ୍ଟାର କ୍ୟାମ୍ପେନର ନରେନ୍ଦ୍ର ମୋଦି ପାଲଟି ଥିବା ବେଳେ ବିଜେଡି ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ବିଜେପିର ତିନି ହେବିଓ୍ବାଟ ନେତା ଓଡ଼ିଶାରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ବାଦ୍ ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।
ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିବେ । ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ ।
ସେହିପରି କଳାହାଣ୍ଡିରେ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ପ୍ରଚାର କରିଥିବା ବେଳେ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ ।
ଅନ୍ୟପକ୍ଷରେ ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ମିଶନ ଭୁବନେଶ୍ୱର ଲକ୍ଷ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ।