୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର


ଭୁବନେଶ୍ବର: ଦେଶରେ ଚତୁର୍ଥ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ପ୍ରଚାର ଆଜି ଶେଷ ହେଉଛି । ତେଣୁ ଆଜି ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଦେଖିବାକୁ ମିଳିବ ।
ଏହି ପର୍ଯ୍ୟାୟରେ ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଓ ଓଡ଼ିଶାରେ ୪ଟି ଲେଖାଏଁ ଆସନରେ ହେବ ମତଦାନ ।
ଏହି ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧୀନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।