ନିର୍ବାଚନ ପରିଚାଳନ କରିବାକୁ ଓଡ଼ିଶା ପୋଲିସ ପ୍ରସ୍ତୁତ: ଡିଜିପି


ଭୁବନେଶ୍ବର: ରାତି ପାହିଲେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ ହେବାକୁ ଯାଉଛି । ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶା ପୋଲିସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ ।
ସେ କହିଛନ୍ତି, ୯ ଜିଲ୍ଲାରେ ଥିବା ୭ ହଜାର ୨୯୮ ପୋଲିଂ ବୁଥରେ ମତଦାନ ହେବ । ଏଥିମଧ୍ୟରୁ ୫୩୭ ସମ୍ବେଦନଶୀଳ ବୁଥ ମାଓବାଦୀ ଅଧ୍ୟୁଷିତ ଇଲାକାରେ ରହିଛି। ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହୋଇଛନ୍ତି । ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ୯ ଜିଲ୍ଲାରେ ୬ ଶହ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପାଟ୍ରୋଲିଂ ପାର୍ଟି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଜିଲ୍ଲାରେ ୫୧ ଚେକପୋଷ୍ଟରେ ଯାଞ୍ଚ କଡାକଡି ଚାଲିଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି ।
ସେ ଆଗକୁ କହିଛନ୍ତି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ଟି ଫ୍ଲାଇଁ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଏହାବାଦ ୧୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ରହିଛନ୍ତି । ଏହି ୯ ଜିଲ୍ଲାରେ ୧୫ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ଵତନ୍ତ୍ର ଅଭିଯାନ ଚଳାଯାଉଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି । ଅତିରିକ୍ତ ଡିଜି-ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି । ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ପ୍ରସ୍ତୁତ ରହିଛି । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ଗିରଫ ପରୱାନା ଜାରି କରାଯାଇଛି ।’