୨୩ ବର୍ଷ ମଧ୍ୟରେ ଓଡିଶାର ବରପୁତ୍ର ମାନଙ୍କ ୧୩୫ ଟି ପ୍ରତିମୂର୍ତ୍ତୀ ସ୍ଥାପନ,ଜନ୍ମସ୍ଥଳୀକୁ ସ୍ମୃତିପୀଠ ଭାବରେ ଉନ୍ନିତ-ଡଃ.ଲେନିନ୍ ମହାନ୍ତି

ସମ୍ବଲପୁର:ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଏହି ପଂକ୍ତିଟି ସେ ସମୟରେ ଓଡିଆ ଭାଷା ଆନ୍ଦୋଳନକୁ ଇନ୍ଧନ ଦେଇ ଆଗେଇ ନେଇଥିଲା । ଆଜିବି ଏହି କବିତାର ଆବୃତ୍ତି କାନରେ ପଡିଲେ ମାତୃଭାଷା, ମାତୃଭୂମି ପ୍ରତି ମନରେ ଥିବା ସ୍ନେହ, ମମତା, ସମ୍ମାନ ଜାଗିଉଠେ । ସ୍ୱଭାବ କବିଙ୍କ ଏହି ଉପଦେଶକୁ ପାଥେୟ କରି ଓଡିଆ ଭାଷା, ସଂସ୍କୃତି, ଐତିହର ଉନ୍ନତି ଦିଗରେ ଆଗେଇ ଚାଲିଛନ୍ତି ରାଜ୍ୟ ସରକାର । ଓଡିଆ ଅସ୍ମିତାର ମହାମନ୍ତ୍ରକୁ ସମସ୍ତେ ଏକାସ୍ୱରରେ ଗାୟନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସମସ୍ତେ ଓଡିଆ ଏକତାର ବନ୍ଧନରେ ବାନ୍ଧିହୋଇଛେ ବୋଲି ଜନଚେତନା ଜାଗ୍ରତ କରିବାକୁ ବିଭିନ୍ନ ସଚେନତନା କାର୍ଯ୍ୟକ୍ରମ, ଓଡିଆ ଭାଷାର ଗବେଷଣା ପାଇଁ ପ୍ରୋତ୍ସାହନ, ଓଡିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହା ଫଳରେ ଓଡିଆ ଭାଷାର ଉତ୍ତରୋତ୍ତର ଉନ୍ନତି ହେବା ସଙ୍ଗେସଙ୍ଗେ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଆଣିଦେବାକୁ ଲକ୍ଷ୍ୟ ରହିଛି । ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ତତ୍ପର ରହିଛନ୍ତି । କିନ୍ତୁ ବିରୋଧୀ ଏହାକୁ ମୁଦ୍ଦା କରି ଫାଇଦା ନେବାକୁ ଚାହୁଁଥିବାବେଳେ ସେମାନଙ୍କ ନିର୍ବାଚନୀ ଓଡ଼ିଆ ଅସ୍ମିତା ଲୋକେ ଭଲଭାବରେ ବୁଝିସାରିଲେଣି ବୋଲି କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ।
ନବୀନ ସରକାରରେ ଓଡିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାମ କରାଯାଇଛି । ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ “ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଗଠନ କରାଯାଇଥିଲା । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସହିତ ଓଡ଼ିଆ ଭାଷାରେ ସରକାରୀ କାମ ଚାଲିବା ପାଇଁ ପ୍ରଶିକ୍ଷଣ ପ୍ରକ୍ରିୟା ଓ ପ୍ରଶାସନିକ ଶବ୍ଦକୋଷ, କାର୍ଯ୍ୟାଳୟ ନଥିପତ୍ର, କଥିତ ଓଡ଼ିଆ ଶବ୍ଦକୋଷ ଭଳି ଅନେକ କାର୍ଯ୍ୟକ୍ରମ ଓଡିଆ ଭାଷା ପ୍ରତିଷ୍ଠାନ ଜରିଆରେ ହାତକୁ ନିଆଯାଇଛି । ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିଥିଲା । ଯାହାକି ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଉଦଘାଟନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଁ କାର୍ଯ୍ୟକ୍ରମ ମାନ ଗ୍ରହଣ କରିବାକୁ କହିଥିଲେ । ଜେଏନୟୁରେ ସାରଳା ଚେୟାର ପ୍ରତିଷ୍ଠା କରାଯିବା ଓଡିଆ ଭାଷାର ଉନ୍ନତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ । ଓଡ଼ିଆ ଭାଷାର ପ୍ରଗତିଶୀଳ ଗବେଷଣା ନିମନ୍ତେ ଜେଏନୟୁରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଚୂଡାନ୍ତ ହୋଇଛି । ଏଥିପାଇଁ ଫେବୃଆରୀ ୩ ତାରିଖରେ ଜେଏନୟୁ ସହିତ ଏମଓୟୁ ସ୍ୱାକ୍ଷର କରାଯାଇଛି । ଓଡ଼ିଆ ଐତିହ୍ୟ ଅସ୍ମିତାକୁ ଲୋକାଭିମୁଖୀ କରିବା ପାଇଁ ରାଜଧାନୀ ବାହାରେ ପ୍ରଥମ ଥର ପାଇଁ ମନ୍ତ୍ରୀମଣ୍ଡଳ ସ୍ତରୀୟ ବୈଠକ ବସି ବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ପୁରୀରେ ପ୍ରଥମ ଐତିହ୍ୟ କ୍ୟାବିନେଟ ଆୟୋଜିତ ହୋଇଥିଲା । ଯାହାର ପରବର୍ତ୍ତୀ ସମୟରେ ବିଶ୍ୱ ଦେଖିଲା ଓଡ଼ିଆର ଅସ୍ମିତାର “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ । ଓଡ଼ିଆର ଅସ୍ମିତାକୁ ସଠିକ ଭାବରେ ଦିଗଦର୍ଶନ ଦେବା ସହ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସ୍ୱତନ୍ତ୍ର ବିଭାଗ ଗଠନ କରାଯାଇଛି । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବିନା ଦେୟରେ ଓଡ଼ିଆରେ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ ବ୍ୟବସ୍ଥା ରହିଛି । ଯୁକ୍ତଦୁଇ ଏବଂ ଯୁକ୍ତତିନି ଛାତ୍ରଛାତ୍ରୀଙ୍କୁ ବ୍ୟାସକବି ଫକୀର ମୋହନ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ କମିଶନ ଢାଞ୍ଚାରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ପ୍ରତିବର୍ଷ ସବୁ ଜିଲ୍ଲାରେ ବାର୍ଷିକ ପୁସ୍ତକମେଳାର ଆୟୋଜନ କରାଯାଉଛି । ବାହାରେ ରହୁଥିବା ଓଡ଼ିଆ ଭାଇଭଉଣୀ ମାନେ ଓଡ଼ିଆରେ ପାଠ ପଢିବା ସହିତ ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ସ୍ଥାପନ କରାଯାଇଛି । ଏଥିରେ ୫୦୦୦ରୁ ଉର୍ଦ୍ଧ୍ବ ଉପାଦେୟ ତଥା ଐତିହାସିକ ପୁସ୍ତକ ଉପଲବ୍ଧ ରହିଛି । କେବଳ ଏତିକି ନୁହେଁ ଇଂରାଜୀ, ଫରାସୀ, ଜାପାନୀ ଓ ସ୍ପେନ ଭାଷାରେ ଶିକ୍ଷାପ୍ରାପ୍ତିର ବ୍ୟବସ୍ଥା ମଧ୍ୟ ରହିଛି । ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୧୯ ତାରିଖ ଦିନ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ଲାଗୁହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଭାଷା ଆଇନ-୧୯୫୪ କୁ ସଂଶୋଧନ କରାଇବା ଫଳରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବରେ ୧୭ ଅଗଷ୍ଟ ୨୦୧୯ ଠାରୁ ବିଧିବଦ୍ଧ ଭାବରେ ଲାଗୁହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆରେ ନ ଲେଖିଲେ ୫୦୦୦ ରୁ ୨୫୦୦୦ ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ କରାଯାଇଛି ଯାହାକି ଶ୍ରମ ବିଭାଗକୁ ଦାୟିତ୍ୱ ଦିଆଯାଇଛି । କୋଭିଡର କଟକଣା ତଥା ଜୀବନ ଜୀବିକା ବିପଦରେ ପଡିଥିବାବେଳେ ଜନସାଧାରଣଙ୍କ ମନରେ ଭୟ ଦୂରୀଭୂତ କରିବା ତଥା ଏକତାର ବନ୍ଧନରେ ବାନ୍ଧିହୋଇ ଅଛେ ବୋଲି ଜନଚେତନା ଜାଗ୍ରତ କରିବା ପାଇଁ ଓଡ଼ିଆ ଅସ୍ମିତାର ମହାମନ୍ତ୍ରକୁ ସମସ୍ତେ ଏକସ୍ୱରରେ ଗାୟନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ୨୦୨୦ ମସିହା ଜୁଲାଇ ମାସ ୭ ତାରିଖ ଦିନ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଥିଲା । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସ୍ତାବକୁ ୨୦୨୦ ମସିହା ସେପ୍ଟେମ୍ବର ମାସ ୨ ତାରିଖ ଦିନ ରାଜ୍ୟ କ୍ୟାବିନେଟରେ ଗୃହୀତ କରାଯାଇଛି ଏବଂ ଶାସ୍ତ୍ରୀୟ ମାନ୍ୟତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଐତିହ୍ୟ, କୀର୍ତ୍ତିରାଜୀ, ପ୍ରାଚୀନ ମନ୍ଦିର ଗବେଷଣା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ପୁରସ୍କାର ରାଶି ୧ ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।୫ଟି ଉପକ୍ରମରେ ନୂଆରୂପ ପାଇଛି ଓଡ଼ିଶାର ବରପୁତ୍ର ପବିତ୍ର ଜନ୍ମସ୍ଥଳୀ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜନ୍ମସ୍ଥାନ ସୁଆଣ୍ଡୋଠାରେ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସହ ସଂଗ୍ରହାଳୟ ସ୍ଥାପନ କରାଯାଇଛି । ସେହିଭଳି ମଧୁବାବୁଙ୍କ ଜନ୍ମସ୍ଥାନକୁ ସ୍ମୃତିପୀଠ, ମନୋଜ ଦାସ – ମନ୍ମଥ ଦାସଙ୍କ ଜନ୍ମସ୍ଥାନକୁ ସ୍ମାରକୀ ପୀଠ, ନେତାଜୀ ସୁଭାଷ ସ୍ମୃତିପୀଠ, ଇରମ ସ୍ମୃତିପୀଠ, ସନ୍ଥକବୀ ଭୀମଭୋଇ ସ୍ମୃତିପୀଠ, ବୀର ସୁରେନ୍ଦ୍ର ସାଏ ସ୍ମୃତିପୀଠ, ରଘୁନାଥ ମୁର୍ମୁ ସ୍ମୃତିପୀଠ, ଏ ସମସ୍ତ ସ୍ମତିପୀଠ ୫ଟି ଅଧୀନରେ ତ୍ୱରିତ ବେଗରେ କାର୍ଯ୍ୟକାରୀ ହୋଇଅଛି । ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କର ୧୩୫ଟି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାର ଅନ୍ୟ ଦେଶୀୟ ଭାଷାର ଶବ୍ଦକୋଷ, ତ୍ରିଭାଷୀ ଶିକ୍ଷଣୀୟ ପୁସ୍ତକ ପ୍ରକାଶିତ ହୋଇଛି । ବଣ୍ଡା, ଭୂୟାଁ, ଭୂମିଜ, ଭୁଂଜିଆ, ବିଂଝାଲ, ଦେଶିଆ, ଡିଡାୟୀ, ଗଦବା, ଗୋଣ୍ଡି, ଜୁଆଙ୍ଗ , ହୋ, ଖଡ଼ିଆ, ସଉରା, କିସାନ, କୋୟା, କୁଇ, କୁଭି, ସାଦରୀ, ସାନ୍ତାଳୀ, ଓରାମ, ଭତରି ଇତ୍ୟାଦି ଭାଷା ଉପରେ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଓପିଏସସି ପରୀକ୍ଷା ଓଡ଼ିଆରେ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦଘାଟନ, ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବିନା ଦେୟରେ ଓଡ଼ିଆରେ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଚେଷ୍ଟିତ ଅଛନ୍ତି । କିନ୍ତୁ ବିରୋଧୀମାନେ ଏହାକୁ ନିର୍ବାଚନୀ ମୁଦ୍ଦା କରିବାକୁ ଅପଚେଷ୍ଟା କରି ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ କରୁଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ବିରୋଧୀଙ୍କର ନିର୍ବାଚନୀ ଓଡ଼ିଆ ଅସ୍ମିତା ଲୋକେ ଭଲ ଭାବରେ ବୁଝି ସାରିଲେଣି । ନିର୍ବାଚନରେ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି।