Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୧ ଇଣ୍ଡିଆ ମେଣ୍ଟ ବୈଠକକୁ ଆସିବେନି ମମତା ଦିଦି

କୋଲକାତା: ଜୁନ ୧ ତାରିଖରେ ଦେଶରେ ସରୁଛି ସାଧାରଣ ନିର୍ବାଚନ । ସେହିଦିନ ବିରୋଧୀ ମେଣ୍ଟ ଇଣ୍ଡିଆର ମଧ୍ୟ ବୈଠକ ହେବାକୁ ଯାଉଛି । ନୂଆଦିଲ୍ଲୀରେ ଏହି ବୈଠକ ହେବାକୁ ଥିବା ବେଳେ ଆସିଛି ବଡ଼ ଅପଡେଟ୍ ଖବର । ସୂଚନା ଅନୁସାରେ ଏହି ବୈଠକକୁ ଆସିବାକୁ ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ । ଉକ୍ତଦିନ ରାଜ୍ୟରେ ଭୋଟ ରହିଛି । ଏହାସହ ବାତ୍ୟା ରେମାଲ ବ୍ୟାପକ କ୍ଷୟକ୍ଷତି କରିଥିବାରୁ ବୈଠକକୁ ଆସି ପାରିବେ ନାହିଁ ବୋଲି କହିଛନ୍ତି ମମତା।
କୋଲକାତାରେ ଆୟୋଜିତ ରାଲିରେ ସମ୍ବୋଧନ କରି ମମତା କହିଛନ୍ତି, ‘ଇଣ୍ଡିଆ ମେଣ୍ଟ ପୂର୍ବରୁ କହି ସାରିଛନ୍ତି ଯେ ଜୁନ ୧ରେ ଦିଲ୍ଲୀରେ ବୈଠକ ହେବ। ହେଲେ ମୁଁ ଯୋଗ ଦେଇ ପାରିବି ନାହିଁ ବୋଲି ସେମାନଙ୍କୁ କହି ସାରିଛି । କାରଣ କିଛି ରାଜ୍ୟ ଭଳି ଏଠାରେ ମଧ୍ୟ ଜୁନ ୧ରେ ଭୋଟ ରହିଛି । ଗୋଟିଏ ପଟେ ବାତ୍ୟା ଓ ରିଲିଫ ସେଣ୍ଟର ଥିବା ବେଳେ ଅନ୍ୟପଟେ ନିର୍ବାଚନ ରହିଛି । ଏପରି ସ୍ଥିତିରେ ମୁଁ କେମିତି ଦିଲ୍ଲୀ ଯାଇ ପାରିବି ? ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ମୋର ପ୍ରାଥମିକତା । ମୁଁ ଏଠାରେ ମିଟିଂ କରୁଛି ସତ, କିନ୍ତୁ ମୋ ମନ ଓ ହୃଦୟ ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ ରହିଛି।’
ଜୁନ ୧ରେ ପଶ୍ଚିମବଙ୍ଗର ବଳକା ୯ଟି ଆସନରେ ଭୋଟ ହେବ । ଏହା ମଧ୍ୟରେ କୋଲକାତା ଦକ୍ଷିଣ ଓ କୋଲକାତା ଉତ୍ତର ରହିଛି । ସେହିପରି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ପ୍ରାର୍ଥୀ ହୋଇଥିବା ଡାଇମଣ୍ଡ ହାର୍ବରରେ ମଧ୍ୟ ଶେଷ ପର୍ଯ୍ୟାୟରେ ମତଦାନ ହେବ । ଏହାବାଦ ଯାଦବପୁର, ଦମଦମ, ବରସାତ, ବଶିରହାଟ, ଜୟନଗର ଓ ମଥୁରାପୁରରେ ମଧ୍ୟ ଲୋକମାନେ ଜୁନ ୧ରେ ଭୋଟ ଦେବେ।
ଇଣ୍ଡିଆ ମେଣ୍ଟ ପକ୍ଷରୁ ଜୁନ ୧ରେ ସର୍ବଦଳୀୟ ବୈଠକ ଡକାଯାଇଛି । ଜୁନ ୪ରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ । ଏହାପୂର୍ବରୁ ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ବୈଠକ କରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ