ନବୀନଙ୍କୁ ଗୋଇଠା ମାରୁଛନ୍ତି ପାଣ୍ଡିଆନ: ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜରବନ୍ଦୀ । ଭିକେ ପାଣ୍ଡିଆନଙ୍କ ଇସାରାରେ ସେ ଉଠବସ ହେଉଛନ୍ତି । ପାଣ୍ଡିଆନ ବିଜେଡିକୁ ହାଇଜାକ କରିଛନ୍ତି । ଏମିତି ଅନେକ ଅଭିଯୋଗ ବିରୋଧୀ ବିଜେପି ଲଗାଇ ଆସିଛି । ଯାହାକୁ ବିଜେଡି ଖଣ୍ଡନ କରି ଆସିଥିବା ବେଳେ ପାଣ୍ଡିଆନ ମଧ୍ୟ ଅଭିଯୋଗର ଜବାବ ଦେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ଆଦର୍ଶ ବୋଲି କହି ବୁଲୁଥିବା ପାଣ୍ଡିଆନଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟକୁ ରୁନ୍ଦି ପକାଇଛି । ରାଜ୍ୟ ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଇଠା ମାରୁଥିବା ଅଭିଯୋଗ କରାଯାଇଛି । ଏହାସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅପମାନକୁ ରାଜ୍ୟ ବିଜେପି ବରଦାସ୍ତ କରିବନି ବୋଲି ଖୋଲା ଚେତାବନୀ ଦେଇଛି ।
ପାଣ୍ଡିଆନ ଖୋଲା ଖୋଲି ସାର୍ବଜନୀନ ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ବୋଲି ବିଜେପି କହିଛି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଗତକାଲି ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ତାମିଲ ବାବୁ ଭିଡ଼ି ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ଆଉ ଏକ ସ୍ପର୍ଶକାତର ଉଦବେଗଜନକ ଭିଡିଓ ନଜରକୁ ଆସିଛି । ସେଥିରେ ବିଜେଡିର ଜଣେ ନେତା ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁବା ବେଳେ ପାଖରେ ଥିବା ପାଣ୍ଡିଆନ ଗୋଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ଆଡ଼େଇ ଦେଉଥିବା ଦେଖିବାକୁ ମିଳିଛି ।’ ଏହା କେଉଁପରି ସଂସ୍କୃତି ଓ ଆମ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ ସଭ୍ୟ ସମାଜରେ ବରଦାସ୍ତ କରାଯିବ କି ବୋଲି ସମୀର ପ୍ରଶ୍ନ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିବାକୁ ପଛାଉ ନ ଥିବା ବିଜେପି ଅଭିଯୋଗ କରିଛି ।
ଉଲ୍ଲେଖଯୋଗ୍ୟ, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଏକ ନିର୍ବାଚନୀ ସଭାକୁ ସମାଲ ହୋଇଥିବା ବେଳେ ଏହି ଭିଡିଓଟି ରେକର୍ଡ କରାଯାଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ସର୍ବସାଧାରଣରେ ଅପମାନିତ କରିବାର ଏଭଳି ଅପଚେଷ୍ଟାକୁ ନେଇ ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।