ଭୁବନେଶ୍ବର: ଜୁନ ୧ ତାରିଖରେ ଓଡ଼ିଶାରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିପାଇଁ ଆଜି ପ୍ରଚାର ଶେଷ ହୋଉଛି । ଏହି ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ । ତେବେ ଏହି ପର୍ଯ୍ୟାୟରେ ବହୁ ହେବିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଆଉ ସବୁଠାରୁ ଚର୍ଚ୍ଚାରେ ରହିଛି ବାଲେଶ୍ବର ଲୋକସଭା ଆସନ । କାରଣ ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳର ତିନି ହେବିଓ୍ବେଟ୍ ନେତା ସରସ୍ପରକୁ ଟକ୍କର ଦେଉଛନ୍ତି । ଯାହା କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ଚର୍ଚ୍ଚାରେ ରହିଛି ।
୧ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସାଂସଦୀୟ କ୍ଷେତ୍ରରେ ଭୋଟିଂ ହେବାକୁ ଯାଉଛି । ବାଲେଶ୍ବରରେ ବିଜେଡି ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜାତୀୟ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ନେତା ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ଦେଇଛି । ସେହିପରି ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁନଃ ପ୍ରାର୍ଥୀ କରିଛି । ଉପରୋକ୍ତ ୩ ନେତାଙ୍କର ରାଜ୍ୟ ରାଜନୀତିରେ ବେଶ୍ ସୁନାମ ରହିଥିବା ବେଳେ ବାଲେଶ୍ୱରର ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳୁଛି ।
ସେହିପରି ମୟୂରଭଞ୍ଜରେ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ରାଜ୍ୟର ଅନ୍ୟତମ ବଡ଼ ଆଦିବାସୀ ଚେହେରା ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେଡ଼ିର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ ବଡ଼ ଟକ୍କର ହେଉଛି । ନିର୍ବାଚନ ଜିତିବା ପାଇଁ ହେଭିୱେଟ ନେତା ଝାଳବୁହା ପରିଶ୍ରମ କରୁଥିବା ବେଳେ ନିଜ ନିଜ ଦଳର ଶୀର୍ଷ ନେତୃତ୍ୱଙ୍କୁ ଆଣି ନିଜ ସପକ୍ଷରେ ପ୍ରଚାର କରାଉଛନ୍ତି ।
ବିଧାନସଭା କ୍ଷେତ୍ରରେ ମଧ୍ୟ ଶେଷ ପର୍ଯ୍ୟାୟରେ ରାଜ୍ୟର ବହୁ ହେଭିୱେଟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଭଦ୍ରକରୁ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କର ମଧ୍ୟ ଏହି ପର୍ଯ୍ୟାରେ ଭାଗ୍ୟ ପରୀକ୍ଷା ହେବ ।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏହି ୬ ଲୋକସଭା ଆସନରେ ବଡ଼ ବିଜୟ ହାସଲ କରିଥିଲା । ୬ ଲୋକସଭା ଆସନରୁ ୪ଟି ବିଜେଡି ଖାତାକୁ ଯାଇଥିବା ବେଳେ ୪୨ ବିଧାନସଭା ଆସନରୁ ୩୩ଟିରେ ଦଳ ବିଜୟ ବାନା ଉଡ଼ାଇଥିଲା । ଏପରିକି ୩ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁରରେ ବିଜେଡି ସବୁ ଆସନ ପୋଛି ନେଇଥିଲା । ଚଳିତ ଥର ବିଜେଡି ସହ ବିଜେପି ଓ କଂଗ୍ରେସ ନିଜ ନିଜ ବିଜୟ ନେଇ ଆଶାବାଦୀ ଥିବାବେଳେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।