ଭୁବନେଶ୍ବର: ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳୁ ସକାଳୁ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ବୁଥ ଗୁଡିକରେ ଲୋକଙ୍କ ଭିଡ ଲାଗିଛି । ରାଜ୍ୟରେ ୬ଟି ଲୋକସଭା ଓ ଏହା ମଧ୍ୟରେ ଆଓୁଥିବା ୪୨ଟି ବିଧାନସଭା ଆସନରେ ଭୋଟିଂ ହେଉଛି । ତେବେ ମତଦାନ ଆରମ୍ଭ ହେବା ପରେ ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା, ଭଦ୍ରକ, ଜଳେଶ୍ୱର ଓ ବାଲେଶ୍ୱର ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି । ଏଥିଯୋଗୁଁ ମତଦାନରେ ବିଳମ୍ବ ଦେଖିବାକୁ ମିଳିଥିଲା । ଏହାସହ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନ ଫେରି ଯାଇଥିବା ମଧ୍ୟ ଜଣାପଡିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବୁଥ୍ ନଂ ୧୯୬ ଓ ବେଲପାଳର ୧୦୬ ନଂ ବୁଥ୍, ଗରଦପୁର ବ୍ଲକର ବସନ୍ତପୁରର ୨୫୪ନଂ ବୁଥ୍ ଓ ନିଆଳିର ୨୩୮ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ୧୭୮, ୧୮୯, ୧୯୦, ୧୯୧ ଓ ୧୯୩ ନଂ ବୁଥ ସମେତ ୩୦ଟି ବୁଥରେ ଇଭିଏମ୍ ଅଚଳ ଯୋଗୁଁ ମତଦାନ ବାଧା ପ୍ରାପ୍ତ ହୋଇଛି । ଇଭିଏମ୍ ଖରାପ ହୋଇ ଯାଇଥିବାରୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟର ଲାଇନ୍ରେ ଛିଡ଼ା ହୋଇଥିଲେ। ଏହାପରେ ବହୁ ଭୋଟର ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ଜଣାଯାଇଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ୨୮୬ନଂ ବୁଥ, ଡେରାବିଶର ୧୪ନଂ ଓ ୧ନଂ ବୁଥ୍, ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍, କେନ୍ଦ୍ରାପଡ଼ାର ୧୩୪ନଂ ବୁଥ ଓ ବେଲପାଳର ୧୦୬ନଂ ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି ।
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ୧୪୨ ନଂ ବୁଥ, ଭଦ୍ରକ ବଳଭଦ୍ର ୟୁପି ସ୍କୁଲର ୨୧୩ ନଂ ବୁଥ, ଭଦ୍ରକ ୨୧୩ ନଂ ବୁଥ ଓ ବାସୁଦେବପୁର ୫୭ନଂ ବୁଥ୍ରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଛି ।
ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି । ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି । ଫଳରେ ମତଦାନ ବିଳମ୍ବ ହୋଇଛି ।