କୁଟ୍ଟେଙ୍କ ଉପରୁ ଉଠିଲା ନିଲମ୍ବନ, ଆଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଆଇପିଏସ ଡିଏସ୍ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ । ସେହିପରି ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ ସୁପାରିଶ କରିଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୁରୁବାର ଚିଠି ଲେଖି ଦୁଇ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।
ଜୁନ ୫ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀ ଲେଖିଥିବା ଚିଠିର ଉତ୍ତର ଦେଇ ନିର୍ବାଚନ କମିଶନ ସଚିବ ରାକେଶ କୁମାର କହିଛନ୍ତି, ଆଇପିଏସ୍ ଆଶିଷ ସିଂ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏନେଇ ରିପୋର୍ଟ ଦେଇଛନ୍ତି । ତେଣୁ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିକଟକୁ ମେଡିକାଲ ବୋର୍ଡର ରିପୋର୍ଟକୁ ପଠାଇବା ପାଇଁ କୁହାଯାଇଛି ।
ଆଶିଷଙ୍କ ବିରୋଧରେ ମିଛ ତଥ୍ୟ ଦେଇଥିବା ପ୍ରାରମ୍ଭିକ ପ୍ରମାଣ ମିଳିଛି । ତେବେ ମୁଖ୍ୟ ସଚିବ ଆଇନ ଅନୁସାରେ ଆଶିଷଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବା ବାକି ରହିଛି ।
ସେହିପରି ନିର୍ବାଚନରେ ଅନାଧିକୃତ ହସ୍ତକ୍ଷେପ ଓ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ପାଇଁ ମେ’ ୨୮ ତାରିଖରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଆଇପିଏସ ଡିଏସ୍ କୁଟ୍ଟେଙ୍କ ନିଲମ୍ବନକୁ ହଟାଇ ଦିଆଯାଇଛି । ତେବେ ତାଙ୍କ ବିରୋଧରେ ନିର୍ବାଚନ କମିଶନ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସର୍ତ୍ତ ରଖାଯାଇଛି ।
କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଯଦି ଆରମ୍ଭ ହୋଇଥାଏ, ତାହା କେବଳ ନିର୍ବାଚନ ଆୟୋଗଙ୍କ ଅନୁମୋଦନରେ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ କୁହାଯାଇଛି । ମୁଖ୍ୟ ସଚିବ ତାଙ୍କୁ ଯେଉଁଠି ଉଚିତ ମଣିବେ ସେଠି ନିଯୁକ୍ତି ଦେଇ ପାରିବେ ।